Unknown

 

 

 

 

 

 

 

 

 

 

ତିନୋଟି ନିଶ୍ୱାସର ଆକାଶ

ବ୍ରଜନାଥ ରଥ

ଶୁଭେନ୍ଦୁ ମୋହନ ଦାସ

ପ୍ରହରାଜ ସତ୍ୟନାରାୟଣ ନନ୍ଦ

 

।। ଆତ୍ମନେପଦୀ ।।

 

"Every true poet is necessarily a first rate critic"-Paul Valery.

 

ଥରେ ଏଜ୍ରା ପାଉଣ୍ଡଙ୍କୁ ତାଙ୍କର ଜଣେ ବନ୍ଧୁ ଜଣେ ଜାପାନୀ ନେଭାଲ ଅଫିସରଙ୍କ କଥା କହୁଥିଲେ । ବନ୍ଧୁଟି ଅଫିସରଙ୍କ ସହ ଦିନେ ଏକ ବରଫାବୃତ ରାସ୍ତାରେ ଚାଲୁ ଚାଲୁ ହଠାତ୍ ଗୋଟାଏ ସ୍ଥାନରେ ଅଟକିଯାଇ ଦେଖିଲେ କେତେଗୁଡ଼ିଏ ପଦଚିହ୍ନ ବରଫ ଉପରେ ସ୍ପଷ୍ଟ । କଥାଟା ହେଉଛି, ଗୋଟାଏ ବିରାଡ଼ି ସେ ରାସ୍ତାଦେଇ ସନ୍ତର୍ପଣରେ ଅତିକ୍ରମ କରିଯାଇଛି । ନେଭାଲ ଅଫିସରଟି ବୋଧହୁଏ ଟିକିଏ କାବ୍ୟକ ଅନୁଭୂତିର ଲୋକ, ସଙ୍ଗେ ସଙ୍ଗେ ଏକ କବିତା ଗାଇଗଲେ-

 

The footsteps of cat upon the snow:

 

Plum-blossoms.

 

ପାଉଣ୍ଡ ଏଟାକୁ କହୁଛନ୍ତି One-image କବିତା, ଏକପ୍ରକାର super-position, ଯେଉଁଠି ଗୋଟାଏ ଧାରଣା ଉପରେ ଅନ୍ୟଏକ ଧାରଣାକୁ ଚାପି ଦିଆଯାଇଛି ।

 

ସ୍ୱୟଂ ପାଉଣ୍ଡଠାରେ ଗୋଟିଏ ମେଟ୍ରୋରେ ଅନେକଗୁଡ଼ିଏ ଅପରୂପ ନାରୀ-ପୁରୁଷଙ୍କର ମୁହଁ ଗୋଟିକ ପରେ ଗୋଟିଏ ଦେଖି ବିହ୍ଵଳ ହୋଇପଡ଼ିଥିଲେ । କବିତାଟି ବାରମ୍ବାର ଲେଖି ଓ ପରିବର୍ତ୍ତନକରି କ୍ରମଶଃ ତିରିଶ ଲାଇନ, ପୁଣି କିଛିଦିନପରେ ପୁନର୍ପଠନ ଓ ପୁନର୍ଲିଖନ କରି ଦଶ ଲାଇନକୁ ଆଣି ବି ସନ୍ତୁଷ୍ଟ ହେଲେନି ଓ କବିତାଟି, ତାଙ୍କର ଧାରଣା, ଅନେକ ସୁରୁଚିପୂର୍ଣ୍ଣ ହେଲେବି first intensity ଲାଭ କଲାନି । କିଛିଦିନ ବିତିଗଲା, ଦୀର୍ଘକବିତାଟି ଅବଶେଷରେ ଯାହାହେଲା, ତାହା ଏଇପରି……

 

The apparition of these faces in the crowd: Petals, on a wet, black bough.

 

ଉପରୋକ୍ତ ଗଳ୍ପଟି କହିବାର ଉଦ୍ଦେଶ୍ୟ ଏହା ନୁହେଁ ଯେ ଉପସ୍ଥିତ ସଂକଳନର କବିମାନେ ପାଉଣ୍ଡଙ୍କର ନିର୍ଦ୍ଧିଷ୍ଟ ପ୍ରବନ୍ଧଟି ପଢ଼ି ଏପ୍ରକାର କବିତା ଲେଖିବାରେ ଅନୁପ୍ରାଣିତ ହୋଇଛନ୍ତି । ଅଧିକାଂଶ କବିତା ପାଉଣ୍ଡ ସୂତ୍ରାନୁଯାୟୀ One-image poetry ପର୍ଯ୍ୟାୟକୁ ଆସିନାହିଁ ବା plum-blossoms ପୂର୍ବରୁ are likeର elimination ପରି ମାରାତ୍ମକ ଅପହରଣ ନାହିଁ । ଆଉ super position ସର୍ବଦା ହୁଏତ ଆସିପାରିନାହିଁ । କିନ୍ତୁ ଅନ୍ତର୍ଭୁକ୍ତ କବିତାଗୁଡ଼ିକରେ ଏକ ପ୍ରକାର 'ସଂକ୍ଷେପଣ' ଅଛି, କାରଣ ପ୍ରତ୍ୟେକଟି ନିଶ୍ଚୟ ଏକ ବଡ଼ କବିତା ହୋଇପାରିଥାନ୍ତା; ଅର୍ଥାତ୍ process of elimination ଅଛି, ଯାହା କବି କ୍ଷେତ୍ରରେ ଏକ ଅପରିହାର୍ଯ୍ୟ ଅଥଚ ଆବଶ୍ୟକ କଠିନ କାର୍ଯ୍ୟ; ଏବଂ ଅଛି ପ୍ରତ୍ୟେକ କବିତାରେ ଏକ ପ୍ରକାର first intensity ଆଣିବାର ପ୍ରବଳ ଚେଷ୍ଟା, "ମୁହୂର୍ତ୍ତକୁ ଗ୍ରେପ୍ତାର" କରିବାର ବା ଶାସ୍ଵତକୁ ଆଣି ମୁହୂର୍ତ୍ତରେ ପହଞ୍ଚାଇବାରେ ପ୍ରବଳ ବାସନା ।

 

ମୋର ଯେତେଦୂର ମନେହୁଏ, ୧୯୬୪ ଜୁଲାଇ ଶେଷ ଆଡ଼କୁ ଦିନେ ଏକ ବର୍ଷାକ୍ଲାନ୍ତ ସନ୍ଧ୍ୟାରେ ବ୍ରଜବାବୁ ଓ ମୁଁ କେତେଗୁଡ଼ିଏ କ୍ଷୁଦ୍ର କବିତାରେ ଯୁଗ୍ମ ସଂକଳନ କରିବାର ମନସ୍ଥ କଲୁଁ । ସେତେବେଳକୁ ଆମ୍ଭମାନଙ୍କର ଅଧିକାଂଶ କବିତାର ରଚନା କାର୍ଯ୍ୟ ଶେଷହୋଇଛି କାରଣ ମୋର ଏବଂ ବ୍ରଜାବାବୁଙ୍କର ଏ ସଙ୍କଳନରେ ଅନ୍ତର୍ଭୁକ୍ତ ପ୍ରାୟ ସମସ୍ତ କବିତାର ରଚନାକାର୍ଯ୍ୟ ୧୯୬୩ ରୁ ୧୯୬୪ ଜୁଲାଇ ମଧ୍ୟରେ । କିନ୍ତୁ ସମସ୍ତ ଯୋଜନା ସତ୍ତ୍ୱେ ଏହା ଆମର ଆଲୋଚନାରେହିଁ ରହିଗଲା ଏବଂ ବେଶ କିଛିଦିନପରେ ନନ୍ଦବାବୁ ଏ ଯୋଜନା ସଂପର୍କରେ ଅବଗତ ହେବାରୁ ସେ ମଧ୍ୟ ଯୋଗ ଦେବାପାଇଁ ମନସ୍ଥ କଲେ ଓ ଅବଶେଷରେ ଆମ ତିନିଜଣଙ୍କୁ ନେଇ ସଙ୍କଳନର ନାମକରଣ ହେଲା "ତିନୋଟି ନିଶ୍ୱାସର ଆକାଶ ।" ବିଭିନ୍ନ କାରଣ ଯୋଗୁଁ, ବିଶେଷଭାବେ ଆର୍ଥିକ ଅନଟନ ଯୋଗୁଁ ଏ ସଙ୍କଳନର ଆତ୍ମପ୍ରକାଶ ଏ ପର୍ଯ୍ୟନ୍ତ ହୋଇପାରିନଥିଲା, ଅବଶ୍ୟ ଅଧିକାଂଶ କବିତା ବିଭିନ୍ନ ପତ୍ର ପତ୍ରିକାରେ ଇତିମଧ୍ୟରେ ପ୍ରକାଶ ପାଇଛି ।

 

ଏ କବିତା ଗୁଡ଼ିକ ଠିକ୍ ଜାପାନୀ ହକୁ (HOKKU) ବା ରବିନ୍ଦ୍ରନାଥଙ୍କର "କଣିକା" ଧରଣର ନ ହେଲେବି, ଏଗୁଡ଼ିକର ଏକ ସ୍ୱତନ୍ତ୍ର ସତ୍ତା ଅଛି ।

 

ଆମ ପ୍ରତ୍ୟେକଙ୍କର ସାଧାରଣ କବିତାଗୁଡ଼ିକରୁ ଏଗୁଡ଼ିକର ପାର୍ଥକ୍ୟ ହେଉଛି ଅବୟବରେ ଏବଂ କିପରି ବିଭିନ୍ନ ଧାରଣା, ଘଟଣା ଓ ବିଭିନ୍ନ ପରିସ୍ଥିତିରେ ମନର ପ୍ରତିକ୍ରିୟାକୁ ଯଥାସମ୍ଭବ ଉପଯୁକ୍ତ ଓ ଅଳ୍ପ ସଂଖ୍ୟକ ଶବ୍ଦମାନଙ୍କ ଦ୍ୱାରା ପ୍ରକାଶ କରାଯାଇ ପାରେ, ତାହା ଚେଷ୍ଟା କରାଯାଇଅଛି । ଅଥଚ ପାଠକ ଯେପରି କବିତା ପଢ଼ୁ ପଢ଼ୁ କବିତା ସହିତ ଯୋଗାଯୋଗ ହରାଇ ନ ବସେ ତାହା ମଧ୍ୟ ଚେଷ୍ଟା କରାଯାଇଅଛି । ଏଇଥିପାଇଁ ବୋଧହୁଏ ଏ ପ୍ରକାରର ସଂକଳନର ଆବଶ୍ୟକତା ଅନୁଭବ କରିଥିଲୁଁ ।

 

ଆଉ ଗୋଟିଏ ଉଲ୍ଲେଖଯୋଗ୍ୟ କଥା । ସଙ୍କଳନରେ ପ୍ରତ୍ୟେକ କବି ହୁଏତ ଅବଚେତନ ମନରେ ଚଷ୍ଟା କରିଛନ୍ତି To make essences distilled and then to embody an idea ଏବଂ ଅବଶେଷରେ ଆଣିବାକୁ "a kind of incantation", ଯାହା ମାଲାର୍ମେ କରିବାକୁ ଚେଷ୍ଟା କରିଥିଲେ ।

 

ବ୍ରଜବାବୁଙ୍କର ୧୬ଟି, ମୋର ୧୮ଟି (ଈଶ୍ୱରଙ୍କ ପାଇଁ ଚୂର୍ଣ୍ଣ-ପଦାବଳୀ ପର୍ଯ୍ୟାୟର ପ୍ରତ୍ୟେକକୁ ଗୋଟିଏ ବୋଲି ଧରିଲେ) ଓ ନନ୍ଦ ବାବୁଙ୍କର ୧୬ଟି କବିତା ବିଶିଷ୍ଟ ଏହି ସଂକଳନସ୍ଥ କେତେକ କବିତା ଯଥା:-'ପକ୍ଷୀ', 'ହଜିଲା ଅକ୍ଷର','ସ୍ମୃତି ଓ ସ୍ୱପ୍ନ', 'ବହୁ ବିଚିତ୍ର', 'ପରମା', 'ସମୁଦ୍ର ଦେଖିବାପରେ', 'ତିନୋଟି ନିଶ୍ୱାସ : ଗୋଟିଏ ରାତ୍ରି' ଓ 'ଶୃଙ୍ଗାର' ଅବୟବ ଦୃଷ୍ଟିରୁ ପ୍ରାୟ ସାଧାରଣ କବିତା ପର୍ଯ୍ୟାୟରେହିଁ ଯିବ । ଏଗୁଡ଼ିକ ଆମର ନିର୍ଦ୍ଧିଷ୍ଟ ଅଭିପ୍ରେତ ଯୋଜନାର ବିରୋଧୀ ହୋଇପଡ଼ୁଛି ବୋଲି ମନେହେବା ସ୍ୱାଭାବିକ । କିନ୍ତୁ ଏହି କବିତାଗୁଡ଼ିକ ଆଉ ଅଧିକ ସଂକ୍ଷିପ୍ତ ହୋଇ ପାରିଥାନ୍ତାକି ?

 

ଯଦି ବ୍ରଜବାବୁଙ୍କର କେତୋଟି କବିତାରେ ଅଯଥା ବାକ୍ୟସ୍ଫୀତି ଦେଖାଯାଇଥାଏ, ସତ୍ୟବାବୁଙ୍କ କ୍ଷେତ୍ରରେ ସେହିପରି ଅତିସଂକ୍ଷେପଣ ବି ଦୃଷ୍ଟିଗୋଚର ହେବା ଉଚିତ ।

 

କିନ୍ତୁ ସବୁଠୁଁ ବଡ଼କଥା ହେଉଛି ଆମେ ତିନିଜଣ କେହି କାହାରି ବୃତ୍ତକୁ ସ୍ପର୍ଶ କରିନାହୁଁ । କୌଣସି ଜଣକ ପ୍ରଭାବ ଅନ୍ୟଠି ନାହିଁ, ଯଦିଓ କେବେ କେମିତି ସ୍ୱରିତ-ସାଦୃଶ୍ୟ ଆସିଯାଇପାରେ-। ସମସ୍ତଙ୍କଠାରେ ଏକ quest ଅଛି; Longing-ness ଅଛି; ସମସ୍ତେ ଜନ୍ମ-ମୃତ୍ୟୁ-ଜୀବନକୁ ବୁଝିବାକୁ ଚେଷ୍ଟା କରିଛନ୍ତି; ନାରୀ ଓ ଈଶ୍ୱରଙ୍କ ପାଖରୁ ଧକ୍‍କାଖାଇ ଫେରିଯାଉଛନ୍ତି । ପୁଣି ସେମାନଙ୍କ ପାଖକୁ ନିର୍ବାଣ ପାଇଁ ହେଉ ବା ମୁକ୍ତି ପାଇଁ ହେଉ ବା ଏକ ସର୍ବବ୍ୟାପି ଅଭିଜ୍ଞତା ଓ ଉପଲବ୍ଧି ପାଇଁ ହେଉ । କିନ୍ତୁ ବ୍ରଜବାବୁଙ୍କ ଜଗତ ଏକ ଶାନ୍ତ, ସୁସ୍ଥ ଏବଂ ସଂଗୋପନର ଜଗତ ପରି ମନେହୁଏ । ସେ ଜଗତର ଜଳବାୟୁ ମହନୀୟ; ଯଦିଓ ସେ ଜଗତରେ ସମୟ ସମୟରେ ଶଇତାନ୍ ଓ ଦେବତାଙ୍କର ଆବିର୍ଭାବ ହୋଇଥାଏ, ସେ କିନ୍ତୁ ବିବ୍ରତ ହୁଅନ୍ତି ନାହିଁ-। ସେମାନଙ୍କ ଦ୍ୱାରା ସେ ନିଜର ମୁହଁ ଦେଖିବା ପାଇଁ ବେଶୀ ପ୍ରୟାସୀ, ନିଜସ୍ୱ ରକ୍ତରେ ନିଜର ନିଭୃତ୍ କକ୍ଷରେ ବଞ୍ଚିବାକୁ ସେ ଆଗ୍ରହୀ । ପ୍ରହରାଜ କିନ୍ତୁ ସମୟ ସମୟରେ ଏକ ଆତତାୟୀର ଜଗତକୁ ଚାଲିଯିବାରେ ପ୍ରୟାସୀ । ସମୟ ସମୟରେ 'ଏପୋଲିନାୟାର୍‍ଙ୍କ ବାଣୀ ମନେପଡ଼ିଯାଏ-"Artists are above all men who to become inhuman"; କିନ୍ତୁ, ପ୍ରହରାଜ ବି ଚାହୁଁଛନ୍ତି ବ୍ରଜବାବୁଙ୍କ ଆକାଂକ୍ଷିତ, 'ମହାନିର୍ବାଣ' ନୁହେଁ-ମୁକ୍ତି; ଯଦିଓ ସେ ମୁକ୍ତି ବ୍ରଜବାବୁଙ୍କଠାରୁ ଭିର୍ଣ୍ଣ ଧରଣର । କିନ୍ତୁ ଏହା କ'ଣ ସେଇ ଆର୍ତ୍ତି ବଂଚିବାକୁ ନିଜ ସ୍ୱଷ୍ଟ 'ପୃଥକ୍ ପୃଥିବୀରେ' ? ପ୍ରହରାଜ "ନଗ୍ନ-ବୈଦେହୀ"ଙ୍କୁ କହୁଛନ୍ତି ଶାନ୍ତ କରିବାକୁ ପିପାସା, 'ମନ୍ଦୋଦରୀ'ଠାରେ ଚାହୁଁଛନ୍ତି ଆଶ୍ରୟ; ଆଉ ପୁଣି କାହାଠାରେ ଚାହୁଁଛନ୍ତି 'ସ୍ନେହଜ ବିରତି । ‘ପ୍ରେମର ନିଷିଦ୍ଧଦ୍ୱାରେ’ ସେ ପ୍ରହରୀ ଓ ପ୍ରତୀକ୍ଷିତ; ଅଥଚ ଚାହୁଁଚନ୍ତି ଏକ ତୀବ୍ର ଓ ମାରାତ୍ମକ ମୁକ୍ତି ସମୁଦ୍ରପନ୍‍ଝାରେ ଏକ ନଷ୍ଟ ମୀନପରି । ମଗ୍ନତା ଚାହୁଁଛନ୍ତି "ମୃତ୍ୟୁମୟ ଅରଣ୍ୟ ଅତଳେ," କିନ୍ତୁ ମୃତ୍ୟୁଚିନ୍ତା ତାଙ୍କୁ ବିବ୍ରତ କରୁନାହିଁ । ବ୍ରଜବାବୁ ମଧ୍ୟ ସେପ୍ରକାର ଚିନ୍ତାରୁ ମୁକ୍ତ । ଉଭୟଙ୍କଠାରେ Death obsession ନାହିଁ । କିନ୍ତୁ ପ୍ରହରାଜଙ୍କଠାରେ ଆତ୍ମପୀଡ଼ନ ବା ଅନ୍ତରଦାହ, ହୁଏତ ସମୟ ସମୟରେ Pessimism ଥିବାପରି ମନେହୁଏ । ଯାହା Nietzscheଙ୍କ କହିବା ଅନୁଯାୟୀ ଜଣେ ଆଧୁନିକ ମାନବର ଏକ ପ୍ରଧାନ ଚରିତ୍ର । "ଶୃଙ୍ଗାର" କବିତାର ନିର୍ମିତିହିଁ ମୁଖ୍ୟକଥା, କାରଣ ଏହା ଏପରି ହୋଇଛି ଯେ, କବିତାର ଆତ୍ମାକୁ ଛୁଇଁ ହେଉନାହିଁ ଓ କବିର ଚିତ୍କାର ପାଠକ ପାଖରେ ପହଞ୍ଚି ପାରୁନାହିଁ ଏବଂ ଅନେକାଂଶରେ ଅବାନ୍ତର ବୋଲି ମୋର ବିଶ୍ୱାସ-। ଏକମାତ୍ର 'ପ୍ରତୀପ' କବିତାରେ ହିଁ ତାଙ୍କର ଯନ୍ତ୍ରଣା ଓ କ୍ରନ୍ଦନ ଶୁଣାଯାଏ । ଏହା ତାଙ୍କର ଏକମାତ୍ର କବିତା ଯାହାର ମୁଖ୍ୟ ସ୍ୱର କାରୁଣ୍ୟ । 'ଜ୍ୱଳନ', ପ୍ରେମ', ଓ 'ସ୍ମୃତି ଓ ସ୍ୱପ୍ନ'ରେ ଆତ୍ମପୀଡ଼ନର ସ୍ୱର କ୍ଷୀଣ, 'ମୋତେ ମୁକ୍ତି ଦିଅ'ରେ ତାହା କୃତ୍ରିମପରି ମନେହୁଏ । କିନ୍ତୁ ଯନ୍ତ୍ରଣାହୀନ ଓ ଅଭିଯୋଗଶୂନ୍ୟ ହୋଇ ଶାଶ ଶାଶ୍ଵତକୁ ପାଇବାର ତୀବ୍ର ବାସନା ଅଛି ବ୍ରଜବାବୁଙ୍କଠାରେ । 'ମହାନିର୍ବାଣ', 'ଯୁଗ ଯୁଗ ଧରି', 'ଅନାଗତ ଆଗନ୍ତୁକ', 'ଯୁଗାବ୍‍ଧୀର କୂଳେ' ଇତ୍ୟାଦି କତିପୟ ଶବ୍ଦ ଦ୍ୱାରା ବୋଧହୁଏ । ଏ ପ୍ରକାର ଇପ୍‍ସାର ସୂଚନା ମିଳୁଛି । କିନ୍ତୁ ବ୍ରଜବାବୁ ଅଧିକାଂଶ ସମୟରେ 'ନିଃଶେଷ ହୋଇ', 'ନିଜର ସତ୍ତା ହରାଇ', ଏକପ୍ରକାର ଅର୍ନ୍ତଲୀନତା ଭଲପାଆନ୍ତି । ପ୍ରହରାଜ ଏକମାତ୍ର 'ମନ୍ଦଦୋରୀ' କବିତାରେ 'ମଜ୍ଜମାନ' ହେବାକୁ ଓ 'ଶୃଙ୍ଗାର' କବିତାରେ 'ମଗ୍ନତା' ଚାହୁଁଛନ୍ତି । 'ମଗ୍ନତା' - ତାହା ଆତ୍ମ-ମଗ୍ନତା ହେଉ ବା ମଗ୍ନ-ଆତ୍ମତା ହେଉ, ନିଜକୁ ନେଇ ବସ୍ତୁକୁ ଗର୍ଭରେ ଅନୁପ୍ରବେଶ କରାଇ ଉପଲବ୍ଧି କରାଯାଉ ବା ବସ୍ତୁକୁ ଆଣି ନିଜର ଅନ୍ତରରେ ଅନ୍ତରଲୀନ କରାଯାଇ ଉପଲବ୍ଧି କରାହେଉ-ତାହା ଉଭୟଙ୍କଠାରେ ଅବଶ୍ୟ ଅଛି ।

 

ବ୍ରଜବାବୁ ନିଜର ସତ୍ତା ହଜାଇ ଏକ ନିର୍ଲିପ୍ତତା ଓ ଏକପ୍ରକାର ସାଂସାରିକ ସୁସ୍ଥତା ଭିତରେ ରହିବାକୁ ଭଲପାଆନ୍ତି । ପ୍ରହରାଜ କିନ୍ତୁ ରୂପାନ୍ତରରେ ବିଶ୍ୱାସୀ ।

 

ବ୍ରଜବାବୁ ଯେତେବେଶୀ ବର୍ଣ୍ଣନାଧର୍ମ । ପ୍ରହରାଜ ସେହି ତୁଳନାରେ କିନ୍ତୁ ବର୍ଣ୍ଣନା ଭୀରୁ-। Image mongering ହେତୁ ପ୍ରହରାଜଙ୍କ କବିତା ଅନେକ ସମୟରେ trash ଓ ଅବାନ୍ତର । ଉଦାହରଣ-'ଶୃଙ୍ଗାର', 'ବଞ୍ଚିତର ତୃଷ୍ଣା' ଇତ୍ୟାଦି । ବ୍ରଜବାବୁ Image ଚମତ୍କାର ସୃଷ୍ଟି କରିପାରନ୍ତି, (ଉଡ଼ଡ଼ୀନ ନିଃସଙ୍ଗ ପକ୍ଷୀର ଚିତ୍ର-କଳ୍ପ 'ପକ୍ଷୀ' କବିତାର ପ୍ରଧାନ ଅବଲମ୍ବନ) କିନ୍ତୁ ହଠାତ୍ ଭାଙ୍ଗି ଦେଇ ଆଣି ବସନ୍ତି ଅନ୍ୟ ଏକ Image ଏବଂ ଖଣ୍ଡିତ Image ସବୁ ଲକ୍ଷ୍ୟ ସାଧନାରେ ଅସଂଲଗ୍ନ ଭାବରେ ଗୁନ୍ଥି ଦେଇଯାଆନ୍ତି । ପ୍ରହରାଜ କିନ୍ତୁ ଅତି ସଚେତନ । ସେହି ଦୃଷ୍ଟିରୁ ବ୍ରଜବାବୁଙ୍କ ଯତ୍ନରେ ତ୍ରୁଟି ଦେଖାଯାଏ-କହିବେ ସାଧାରଣ ଆଲୋଚକ, କିନ୍ତୁ ତାହା ଠିକ୍ ତ୍ରୁଟି କି ? ଯାହା କହିବା ଶକ୍ତ ତାକୁ ଧ୍ଵନି ଏବଂ ଇଙ୍ଗିତରେ ବ୍ୟକ୍ତ କରିବାର ଦୁରାଶା ପ୍ରାୟ ପ୍ରତ୍ୟେକ ଶିଳ୍ପୀପରି ତାଙ୍କୁ ମଧ୍ୟ ଘେରି ବସେ । ତାହାଛଡ଼ା ତାଙ୍କର ଜନ୍ମତ ଗୀତି-ଧର୍ମୀ କବିତାରୁ ।

 

ପ୍ରତୀକର ବ୍ୟବହାର ଆମେ ପ୍ରତ୍ୟେକ କରିଛୁଁ । ବ୍ରଜବାବୁ ପ୍ରତୀକ ବ୍ୟବହାର କରିବାକୁ ଯାଇ ବିପଦରେ ପଡ଼ୁଛନ୍ତି ବୋଲି ମନେହୁଏ । ପ୍ରହରାଜ ମନେହୁଅନ୍ତି ବେଶ ପ୍ରତୀକ-ଲୋଭୀ । ମୁଁ ପ୍ରତୀକ ଘୃଣା କରେନି, କିନ୍ତୁ ଅଳଂକରଣ ପାଇଁ ପ୍ରତୀକର ବ୍ୟବହାର ମୋ ରୁଚିର ବାହାରେ । ଅଳଂକରଣ ପରିଧି ପାରହୋଇ ପ୍ରତୀକ ଆସି ହୃଦୟରେ ଜୀବନର ଉପଲବ୍ଧି ହେଉ ଏବଂ ନିହତ ଆବଶ୍ୟକ ନ ହେଲେ ପ୍ରତୀକ ବ୍ୟବହାର କରାନଯାଉ । 'ପ୍ରତିଶ୍ରୁତି’ରେ ପ୍ରତୀକ ହିସାବରେ ଆକାଶ ଓ ସ୍ୱର୍ଗର ଆବଶ୍ୟକତା ଥିଲା । ଅନ୍ୟ କବିତାଗୁଡ଼ିକରେ ମଧ୍ୟ ଠିକ୍ ସେହିପରି ଅବଶ୍ୟକତା ଦୃଷ୍ଟିରୁ ପ୍ରତୀକ ବ୍ୟବହୃତ ହୋଇଛି । 'ତୃଷ୍ଣାର ଅନେକ ତଳ' କବିତାର ପ୍ରଥମ ତିନିଲାଇନ ବ୍ରଜବାବୁ ମଧ୍ୟ ଲେଖି ପାରିଥାନ୍ତେ କିନ୍ତୁ ଶେଷ ସାତ ଲାଇନ ନୁହେଁ । ମୁଁ "ବହୁ ବିଚିତ୍ର" ହୁଏତ ଲେଖିପାରିଥାନ୍ତି କିନ୍ତୁ 'ତେଣୁ' ପରଠାରୁ ଅବଶିଷ୍ଟ ସ୍ତବକଗୁଡ଼ିକ ଅନ୍ୟପ୍ରକାର ହୋଇଥାନ୍ତା । "ରୂପାନ୍ତର"ର ଶେଷ ପଂକ୍ତି 'ମୁଁ ହତ୍ୟାକଲି କିଛି ମୌନତା' କେବେ ଲେଖନ୍ତିନି । ସେଇଥିପାଇଁ ଆମ୍ଭମାନଙ୍କର ପାର୍ଥକ୍ୟଟା ବିଷୟବସ୍ତୁ ନିର୍ବାଚନରେ ଯେତେ ନୁହେଁ, ଗୋଟିଏ ବସ୍ତୁକୁ ଦେଖିବାର ଦୃଷ୍ଟିଭଙ୍ଗୀରେ । ସ୍ୱପ୍ନ, ସ୍ମୃତି, ତୃଷ୍ଣା, ପ୍ରେମ, ସମୟ ବ୍ୟଥା, ବ୍ୟର୍ଥତା ଓ ନାରୀ, ଅତଏବ ଅବହେଳା ବା ଅପୂର୍ଣ୍ଣତା ବା ମଗ୍ନତା ଓ ତେଣୁ ପରିପୂର୍ଣ୍ଣତା, ଅଧିକାଂଶ କବିତାର ବିଷୟବସ୍ତୁ କିନ୍ତୁ ବ୍ରଜବାବୁଙ୍କୁ ସ୍ୱପ୍ନ ବିବ୍ରତ କରେନି; ପ୍ରହରାଜ ସ୍ୱପ୍ନ ଦେଖିବାକୁ ନାରାଜ । "ଏକ ନୂତନ ପୃଥିବୀର ଜନ୍ମ" ବୋଧହୁଏ ଠିକ୍ ପ୍ରେମ କବିତା ନୁହେଁ, କିନ୍ତୁ "ଦିଗନ୍ତର ପକ୍ଷୀ" ଏକ ପ୍ରେମ କବିତା । "ବହୁ ବିଚିତ୍ର"ରେ ବ୍ୟଙ୍ଗ ଥିଲାପରି ଜଣାପଡ଼େ । ପ୍ରହରାଜ ବ୍ରଜବାବୁଙ୍କଠାରୁ ଅଧିକ ତୀବ୍ର, କାରଣ ଅସୁସ୍ଥ ଓ ତାଙ୍କଠାରୁ ଅଧିକ ଯନ୍ତ୍ରଣାଗ୍ରସ୍ତ । କିନ୍ତୁ ତାଙ୍କର ଅଭିଯୋଗ, ଆର୍ତ୍ତି, ନିରାଶା କାହିଁ ? "ଜମି ପୋର୍ଟର" ପୃଥିବୀଟାକୁ ତାହାହେଲେ କାହିଁଛି in anger ଏପରି ଦୃଷ୍ଟିରେ ଚାହୁଁଚି ?

 

ବ୍ରଜବାବୁ ମୁକ୍ତିପାଇଁ ପ୍ରଥମରୁହିଁ ଚିତ୍କାର ତୋଳିଛନ୍ତି । ଏ ଚିତ୍କାର ସଂକଳନର ଶେଷତମ କବିତାରେ ବି ଶୁଣାଯାଏ । କିନ୍ତୁ ବ୍ରଜବାବୁଙ୍କର ଅଭିଯୋଗଟା କ'ଣ ? ପ୍ରହରାଜଙ୍କର ସମସ୍ୟାଟା କେଉଁଠି ? ଏମାନେ ମୁକ୍ତିପାଇଁ ବ୍ୟାକୁଳ, ଅଥଚ ମୁକ୍ତି ପାଇବା ପାଇଁ ଯେଉଁସବୁ କାରଣ, ତାହା ଉପଯୁକ୍ତ objective co-relative ମାଧ୍ୟମରେ ପ୍ରକାଶ କରିପାରିନାହାନ୍ତି ।

 

ବ୍ରଜବାବୁ ଅଭିଯୋଗ ପ୍ରବଣ-ନୁହଁନ୍ତି, ତାଙ୍କର ଅଧିକାଂଶ କବିତାରେ ସେ ଚାହୁଁଛନ୍ତି "ଏକ ନୂତନ ପୃଥିବୀର ଜନ୍ମ" ଯେଉଁଠି ପ୍ରିୟତମାର କଣ୍ଠରେ ସେ ପାଇବେ "ସକଳ ସଙ୍ଗୀତର ସଂଳାପ" । ଗୋଟାଏ କିଛି ଅପ୍ରାପ୍ତିର ପ୍ରାପ୍ତିପାଇଁ ବୋଧହୁଏ ତାଙ୍କର ମସ୍ତିଷ୍କ ଅଧିକାଂଶ ସମୟରେ ଆକାଶମୁଖୀ, ସେଇ ଛୋଟ ପିଲାଟିପରି । 'ମୋତେ ମୁକ୍ତି ଦିଅରେ ମୁକ୍ତିପାଇଁ ଯେଉଁ ବ୍ୟାକୁଳତା, 'ସହର ଛକର ଶିଶୁ'ର ଚକ୍ଷୁରେ ବୋଧେ ସେଇ ମୁକ୍ତି ପାଇଁ ଆକୁଳତା ! କିନ୍ତୁ ବ୍ରଜବାବୁଙ୍କ ଆକାଶ ଅନେକ ସମୟରେ ନିଥର, ନିରଞ୍ଜନ ମନେ ହେଲେବି ସେଇ ଆକାଶ ପ୍ରେମରେହିଁ ସେ ପଡ଼ିଛନ୍ତି । ସେ ଆକାଶ 'ପକ୍ଷୀ'ର ଡେଣାରେ ଝୁଲି ଝୁଲି ଆସି ରହୁ ବା ସେ ନିଜେ ଚାଲିଯାଆନ୍ତୁ ସେଠାକୁ ଘୂରିବାକୁ 'ନିଜକକ୍ଷେ ଯୁଗାବ୍ ଧୀର କୋଳେ' । କବିଙ୍କର ଆକାଶ-ପ୍ରୀତିରୁ ତାଙ୍କୁ ରୋମାଣ୍ଟିକ ବୋଲି ବୁଝିବାକୁ ସହଜ ହେବ କି ? 'ମୋତେ ମୁକ୍ତିଦିଅ', 'ପକ୍ଷୀ', 'ସହର ଛକର ଶିଶୁ'; 'ନୂତନ ପୃଥିବୀର ଜନ୍ମ' ଓ 'ଦିଗନ୍ତର ପକ୍ଷୀ' ପ୍ରଭୃତିରେ ହୁଏତ ଆକାଶର ପ୍ରସଙ୍ଗ ରହିବା ସ୍ୱାଭାବିକ, କିନ୍ତୁ, 'ପ୍ରତିଦାନ' ପରି କବିତାରେ ବି ଆକାଶ ? 'ସ୍ମୃତି ଓ ସ୍ୱପ୍ନ'ରେ ଭୁଲରେ କେମିତି କେଜାଣି ଆକାଶ କଥା ଉଚାରିତ ହୋଇନି । ମୁଁ ଶେଷ ପର୍ଯ୍ୟନ୍ତ ଆଶାକରୁଥିଲି, ବୋଧହୁଏ ଏଇ ଆସିଯିବ । କିନ୍ତୁ କି ଆଶ୍ଚର୍ଯ୍ୟ, ଶେଷ କବିତାଟାରେଇ ବ୍ରଜବାବୁ 'ଆକାଶ'ଟାକୁ ହରାଇବସିଲେ, କ୍ରମେ ଚାଲିଲେ 'ପାତାଳ' ଆଡ଼କୁ । କିନ୍ତୁ ସେତେବେଳକୁ ସେ ଆକାଶ ଆସି 'ମୋ ହାତ ପାଖରେ', ତାନହେଲେ 'ପ୍ରତିଶ୍ରୁତି' ଦିଆଯାଆନ୍ତାନି । ବ୍ରଜବାବୁ ଯାହା ଖୋଜିଛନ୍ତି ମୁଁ ହୁଏତ ତା ଖୋଜୁନି, ବ୍ରଜବାବୁ ଯାହା ପାଇଛନ୍ତି ଅଥଚ ଉଲ୍ଲେଖ କରିନାହାନ୍ତି ମୁଁ ତା ଉଲ୍ଲେଖ କରିବି ପାଇନି । ସେଇ ଯେଉଁ ବିଶେଷ 'କିଛି'ର ପ୍ରାପ୍ତି ପାଇଁ ବ୍ୟାକୁଳତା ତାହା କିନ୍ତୁ ପ୍ରବଳ ହୋଇନି ପ୍ରହରାଜଙ୍କ କବିତାଗୁଡ଼ିକରେ । ପ୍ରହରାଜ ଯାହାକିଛି ବି ପାଇଛନ୍ତି ତାହା ଯୋଗୁଁ ସେ ବିଚଳିତ, ଓ କେବଳ 'ତିନୋଟି ନିଶ୍ୱାସ : ଗୋଟିଏ ରାତ୍ରି'ରେ ସେ ନିଃସଙ୍ଗ; କିନ୍ତୁ ନିଃସଙ୍ଗ କାହିଁକି ? ମୃତ୍ୟୁ ବା ମୃତ୍ୟୁପମ ଯନ୍ତ୍ରଣା ବ୍ରଜବାବୁଙ୍କ କବିତାରେ ନାହିଁ କହିଲେ ଚଳେ । ପ୍ରହରାଜ ମଧ୍ୟ ସେଥିରୁ ମୁକ୍ତ ।

 

ଅବଶ୍ୟ Collin Wilson କଥାଟା ଟିକେ ବିଳମ୍ବରେ ବୁଝିଲେ, କବି ପ୍ରକୃତିର ଲୋକମାନେ ସବୁ ଦିନେଇ ଚାହାଁନ୍ତି ଏକ ପ୍ରକାର outsider ହୋଇ ବଞ୍ଚିବାକୁ ନିଜସୃଷ୍ଟ ଦ୍ୱିତୀୟ ପୃଥିବୀରେ । ମୁଁ ବ୍ରଜବାବୁ ଓ ପ୍ରହରାଜବାବୁ ଉଭୟଙ୍କଠାରେ ଏ ମନୋଭାବଟା ଖୋଜୁଥିଲି । ପାଇନି । ଏଠାରେ ଗୋଟିଏ କଥା ଉଲ୍ଲେଖ ନ କରି ରହିପାରୁନି ଯାହା ମୁଁ ବି ଜାଣିପାରିନଥିଲି ସଙ୍କଳନଟି ପଢ଼ିବା ପୂର୍ବରୁ ଯେ-ନାରୀ, ଈଶ୍ୱର, ପ୍ରେମ, ଏ ସମସ୍ତଙ୍କୁ ଯଥାଯୋଗ୍ୟ ମୂଲ୍ୟ ଦିଆଯାଇଛି ।

 

ଯଦିଓ ସଂକଳନର ପ୍ରଥମ କବିତାର ଶେଷ ପଂକ୍ତି 'ମୋତେ ମୁକ୍ତିଦିଅ' ଏବଂ ଶେଷ କବିତାର ଶେଷ ପଂକ୍ତି 'ମୋତେ ମୁକ୍ତିଦିଅ'-ଏ ଚିତ୍କାର ଭିତରେବି ଶାଶ୍ୱତକୁ ପାଇବାର ବାସନା ପରୋକ୍ଷରେ ହେଉ ବା ପ୍ରତ୍ୟକ୍ଷରେ ହେଉ, ଇଙ୍ଗିତ ଦ୍ୱାରା ହେଉ ବା ସିଧାସଳଖ ଉଚ୍ଚାରଣରେ ହେଉ, ବାରମ୍ବାର ରହିଛି, କାରଣ ସତ୍ୟର ଅନୁସନ୍ଧାନହିଁ ବଡ଼କଥା; ସେଥିପାଇଁ କବିତାର musical power ସମୟ ସମୟରେ ନଷ୍ଟ ହୋଇ ଯାଇପାରେ କ୍ଷତି ନାହିଁ-truth has nothing to do with the songs କହୁଛନ୍ତି ବୋଦ୍‍ଲେୟାର, କିନ୍ତୁ poetical power କ୍ଷୁଣ୍ଣ ହେବା ଉଚିତ ନୁହେଁ ଏବଂ ଉପସ୍ଥିତ ସଂକଳନରେ କୌଣସି ଟି ବୋଧହୁଏ ହୋଇନାହିଁ । ବୋଦ୍‍ଲେୟାର୍‍ଂକୁ ଉଦ୍ଧାର କରି ମୁଁ ପୁନଶ୍ଚ କହିବି, ଯେହେତୁ the unquenchable thirst for everything that is beyond and everything that life reveals, is the most living proof of our immortality ସୁତରାଂ the first principle of poetry is strictly and simply the human aspiration towards superior beauty ଯାହା କୀଟ୍‍ସଙ୍କ କଥାକୁ ବିଶ୍ୱାସ କଲେ, truth ସହ ମଧ୍ୟ ସମାନ ।

 

ଶେଷ କଥା । କବିତା ଏକ କଠିନ ସାଧନାକର୍ମ; ଯଦିଓ ଜନ୍ମ ତାର ସ୍ଵକୀୟ ଅଭିଜ୍ଞାତାର ଆଘାତରୁ । ମୁଁ ପାଉଣ୍ଡ ଓ ଗେଟେ, ଉଭୟଙ୍କୁ ଗୋଟିଏ ଆସନରେ ବସାଇ କହୁନାହିଁ, ଏହା ମୋର ବିଶ୍ୱାସ । ଏବଂ ଏ କଥାବି ମୁଁ ବିଶ୍ୱାସ କରେ ଯେ, କବିପରି ପାଠକ ମଧ୍ୟ ସାଧନା କରିବା ଉଚିତ, ଗୋଟିଏ କବିତାର ମର୍ମରେ ପହଞ୍ଚିବା ପାଇଁ-ବିଶେଷତଃ ତାହା ଯଦି ଏକ ଆଧୁନିକ କବିତା ହୋଇଥାଏ । ସୁତରାଂ ପ୍ରଥମ ପଥରେ ଯଦି କୌଣସି ପଂକ୍ତି ଶବ୍ଦ ବା ଶବ୍ଦବନ୍ଧ ଧକ୍କାଦିଏ ତାର ଅର୍ଥ, ନିଶ୍ଚୟ ସେଠି କିଛି ଅନ୍ତରଲୀନ ଗୂଢ଼ ଅର୍ଥ ରହିଯାଉଛି । ପୁଣି କୌଣସି ଶବ୍ଦର ଯଦି ପ୍ରତୀକୀ ଯଥାର୍ଥତା ଥାଏ ତେବେ ତାହା ନିର୍ଦ୍ଦିଷ୍ଟ ଗୋଟିଏ ଅର୍ଥପାଇଁ ପ୍ରୟୋଗ ହୋଇଛି, ତାହା ମଧ୍ୟ ଅନୁମାନ କରିବା ଭୁଲ । ଯେପରି, ଫୁଲ=ନାରୀ ସର୍ବଦା ନୁହେଁ । ଆକାଶ ସର୍ବଦା ଆମେ ଦେଖୁଥିବା ଆକାଶ ନୁହେଁ, ସେହିପରି ସ୍ୱପ୍ନ ବି ସ୍ୱପ୍ନ ନୁହେଁ ।

 

କିନ୍ତୁ ସାଧାରଣ ପାଠକ ପକ୍ଷରେ ମାଲର୍ମେଙ୍କର ଶୁଦ୍ଧକବିତା-ତତ୍ତ୍ୱ କିମ୍ବା ଶେଲିଙ୍କର ବିଖ୍ୟାତ ଅଙ୍ଗର ଉପମା, ପ୍ଲାଟୋଙ୍କର ଗୁହା ଉପାଖ୍ୟାନ ବା ଏଲିଅଟଙ୍କର ସାରମେୟକୁ ମାଂସର ଲୋଭ ଦେଖାଇବା ଉପମା ସମ୍ପର୍କରେ ଅବଗତ ହେବା ସମ୍ଭବ ନୁହେଁ । କିନ୍ତୁ ଗଭୀର ମନୋନିବେଶ କରିବା ଓ ମୁହୂର୍ତ୍ତେ ଚିନ୍ତାକରିବା ତ ସ୍ୱାଭାବିକ ! ଅନୁରାଗ ଓ ଉତ୍କଣ୍ଠା ନିଜେ ଇଛା କଲେ ତ ଆସିପାରନ୍ତା । "କ'ଣ ରହସ୍ୟ ଉଦ୍‍ଘାଟନ ହେଉଛି ପର ପଂକ୍ତିରେ ଦେଖାଯାଉ"-ଏପରି ମାନସିକ ପ୍ରସ୍ତୁତି ଓ ଯେ କୌଣସି କବିତା ସାଙ୍ଗରେ ନିଜକୁ ଖାଫ୍‍ଖୋଈ ପାରିବାର ଉଦାରତା ଆମର ଅଧିକାଂଶ ଶିକ୍ଷିତ କବିତା ପାଠକଙ୍କର ବି ନାହିଁ ।

 

ଆଶା କରଯାଉ ଏ ସଙ୍କଳନର ଉଦେଶ୍ୟ ସାର୍ଥକ ହେବ । ଆଉ ସାର୍ଥକ ନ ହେଲେବି ଦୁଃଖ ନାହିଁ । ଭେଲେରିଙ୍କ ପରି ଆମେ ମଧ୍ୟ ବିଶ୍ୱାସ କରୁଛୁଁ ଯେ କବିତା ଏକ ପ୍ରକାର ଶବ୍ଦ ତିଆରି ମେସିନ୍ ଯାହା ଜଣେ ପାଠକ ମନରେ Poetic state of mind ଆଣିପାରେ ।

 

ଶୁଭେନ୍ଦୁ ମୋହନ ଦାସ

***

 

ସୂଚୀପତ୍ର

 

।। ଏକ ।।

 

 

୧.

ମୋତେ ମୁକ୍ତିଦିଅ

୨.

ଅନେକ ସୂର୍ଯ୍ୟାସ୍ତ ପରେ

୩.

ଜୀବନ

୪.

ତିନୋଟି ମୁହଁ

୫.

ଜ୍ଵଳନ

୬.

ପୃଥିବୀ

୭.

ଅଳୀକ କାମନା

୮.

ପକ୍ଷୀ

୯.

ହଜିଲା ଅକ୍ଷର

୧୦.

ବହୁ-ବିଚିତ୍ର

୧୧.

ସହର ଛକର ଶିଶୁ

୧୨.

ଏକ ନୂତନ ପୃଥିବୀର ଜନ୍ମ

୧୩.

ଦିଗନ୍ତର ପକ୍ଷୀ

୧୪.

ପ୍ରତିଦାନ

୧୫.

ପ୍ରେମ

୧୬.

ସ୍ମୃତି ଓ ସ୍ୱପ୍ନ

 

 

।।ଦୁଇ।।

 

 

୧.

ପରମା

୨.

ତୃଷ୍ଣାର ଅନେକ ତଳୁ

୩.

ମୃତ୍ୟୁ ପୂର୍ବରୁ ଏକ ଅନୁରୋଧ

୪.

ଏକ ପରିଚୟ

୫.

ପ୍ରତିଶ୍ରୁତି

୬.

ତୁମେ

୭.

ସମୁଦ୍ର ଦେଖିବା ପରେ

୮.

କବି ଓ କବିତା

୯.

ତମପ୍ରତି

୧୦.

ମୃତ୍ୟୁ

୧୧.

ଦୁଇଟି ଅନୁରୋଧ

୧୨.

ପୃଥିବୀ ପ୍ରତି

୧୩.

ଶେଷ ନିଷ୍ପତ୍ତି

୧୪.

ଈଶ୍ୱରଙ୍କ ପାଇଁ ଚୂର୍ଣ୍ଣ ପଦାବଳୀ

 

 

 

 

 

 

।।ତିନି।।

 

 

୧.

ଶିଳ୍ପୀର ପ୍ରାର୍ଥନା

୨.

ପରିଚୟ

୩.

ଅନୁଭବ

୪.

ପ୍ରତୀପ

୫.

ତୁମେ ଓ ମୁଁ

୬.

ମାନସାଙ୍କ

୭.

ଅନୁରୋଧ

୮.

ବଞ୍ଚିତର ତୃଷ୍ଣା

୯.

ମନ୍ଦୋଦରୀକୁ

୧୦.

ସମ୍ପର୍କ

୧୧.

ତିନୋଟି ନିଃଶ୍ୱାସ ଗୋଟିଏ ରାତ୍ରି

୧୨.

ଅସଂଲଗନ

୧୩.

ପେଚା

୧୪.

ରୂପାନ୍ତର

୧୫.

ଜନ୍ମ-ମୃତ୍ୟୁ-ଜୀବନ

୧୬.

ଶୃଙ୍ଗାର

***

 

ମୁକ୍ତି ଦିଅ

 

ମୋର ମସ୍ତକ-ଆକାଶଆଡ଼କୁ ପ୍ରସାରିତ କଲି,

ମୋର ଦୁଇବାହୁ-ଦିଗନ୍ତଆଡ଼କୁ ପ୍ରସାରିତ କଲି,

ଆଉ ମୋର ପାଦ-ପ୍ରସାରିତ କଲି ପାତାଳଆଡ଼କୁ,

 

ବାକି ଯାହା ରଖିଗଲି-ଏଇ ପୃଥିବୀରେ

ସ୍ୱର୍ଗ-ନର୍କର ଏଇ ମହାମିଳନ ପୀଠରେ;

ତାହା ମୋର ହୃଦୟରେ

(ଯନ୍ତ୍ରଣା-ମଧୁର ହୃଦୟ);

ତାହା ମୋର ଆତ୍ମା

(ସନ୍ତପ୍ତ-ଶୀତଳ ଆତ୍ମା)।

 

ମୋର ମହା-ନିର୍ବାଣ ପାଇଁ

ହେ ଉଦାତ୍ତ କବି-କଣ୍ଠର ସଂଗୀତ !

ହେ ଅସ୍ଫୁଟ ଶିଶୁକଣ୍ଠର କାକଳୀ !

ମୋତେ ମୁକ୍ତି ଦିଅ ।

***

 

ଅନେକ ସୂର୍ଯ୍ୟାସ୍ତ ପରେ

 

ଅନେକ ସୂର୍ଯ୍ୟାସ୍ତ ପରେ

ଦିନେ ସୂର୍ଯ୍ୟ ଅସ୍ତଯିବେ

ଯାହାପରେ ଆଉ

ସୂର୍ଯ୍ୟୋଦୟ ହେବନାହିଁ

ଏହି ଜୀବନରେ ।

 

ତାହା ପରେ ଖାଲି ରାତି

ରାତି ଆଉ ରାତି

ତମିସ୍ରାର ସୀମାହୀନ-

ଅନନ୍ତ ବିସ୍ତୃତି

ଲାଗିଥିବ ଚିରକାଳ ପାଇଁ ।

 

ଆଜି ମୁହିଁ ସେଥିପାଇଁ

ସଂଖ୍ୟାହୀନ ଅଜାତ-ସୂର୍ଯ୍ୟକୁ

ତେଜୀୟାନ୍ କରିଗଲି ମୋହରି ରକ୍ତରେ,

ମୋ'ଜୀବନ ସୂର୍ଯ୍ୟାସ୍ତର ପରେ

ଯୁଗ ଯୁଗ ଧରି

ଫୁଟିବ ଯା' ପୂର୍ବାଶାକପୋଳେ ।

 

ଜୀବନ

 

ଜନ୍ମ-ମୃତ୍ୟୁର

ଦୁଇଟି ପ୍ରାନ୍ତ ବିନ୍ଦୁକୁ ସ୍ପର୍ଶ କରୁଥିବା

ଗୋଟିଏ ବର୍ଣ୍ଣମୟ ବକ୍ରରେଖା;

ଯାହା ଉପରେ

ଅସଂଖ୍ୟ (), [], {},) ବନ୍ଧନୀର ଭିଡ଼,

ଶତଶତ ପ୍ରଶ୍ନବାଚୀର (?) ସମାରୋହ,

ଅଗଣିତ ବିସ୍ମୟ ଚିହ୍ନର (!) ବିଚିତ୍ର ଶୋଭାଯାତ୍ରା ।

***

 

ତିନୋଟି ମୁହଁ

 

ପ୍ରଥମେ-

ଅନ୍ଧକାରର ଦର୍ପଣରେ

ମୁଁ ଦେଖିଲି ଗୋଟିଏ ମୁହଁ;

ସେ ମୁହଁ 'ଶୟତାନ'ର ।

 

ତାପରେ-

ଆଲୋକର ଦର୍ପଣରେ

ମୁଁ ଦେଖିଲି ଗୋଟିଏ ମୁହଁ;

ସେ ମୁହଁ 'ଦେବତା'ର ।

 

ଶେଷରେ-

ଅନ୍ଧକାର ଓ ଆଲୋକର-

ଦର୍ପଣ ଦୁଇଟିକୁ ପାଖାପାଖି ରଖି

ମୁଁ ଦେଖିଲି ଆଉ ଗୋଟିଏ ମୁହଁ;

ସେ ମୁହଁ ମୋ ନିଜର

ଏକ "ମଣିଷ"ର ।

***

 

ଜ୍ଵଳନ

 

ତୁମ ହାତରେ ହାତ ମିଳାଇ

ମୁଁ ପାଇଲି ଯେଉଁ ଉତ୍ତାପ,

ସେ ଉତ୍ତାପରେ ଜାଳିଲି ମୋର ହୃଦୟ ।

 

ହୃଦୟକୁ ଜାଳି ଜାଳି

ମୁଁ ପାଇଲି ଯେଉଁ ଉତ୍ତାପ,

ସେ ଉତ୍ତାପରେ

ମୁଁ ଜାଳିଲି ମୋର ବିବେକ ।

 

ମୋର ବିବେକକୁ ଜାଳି ଜାଳି

ମୁଁ ପାଇଲି ଯେଉଁ ଉତ୍ତାପ

ସେ ଉତ୍ତାପରେ ମୁଁ ନିଜେ ଜଳି ଜଳି

ନିଃଶେଷ ହୋଇଗଲି ।

 

ଏହି ଯେଉଁ ଜ୍ୱଳନର ଶିଖାଟିଏ

ତମେ ଦେଖୁଛ

ଅନାଗତ ଆଗନ୍ତୁକଙ୍କ ଉଦ୍ଦେଶ୍ୟରେ

ମୋ ସମାଧିର ତାହା ଏକ ସ୍ମାରକଲିପି ।

 

ପୃଥିବୀ

 

ଝିଅଟିଏ;

ସାରା ଦେହରେ ଯାର

ରୁପସାଗରର ତରଙ୍ଗ

ଗୋଟିଏ ଆଖିରେ ତାର ସୂର୍ଯ୍ୟୋଦୟ

ଆର ଆଖିରେ ସୂର୍ଯ୍ୟାସ୍ତ ।

ହାତରେ

ମୁଠା ମୁଠା ଫୁଲ-ସମୟର ।

 

କଣ୍ଠରେ କେବଳ

ଜୀବନ-ଜିଜ୍ଞାସାରେ ମୁଖରିତ

ଦିବା-ରାତ୍ରିର କରୁଣ ସଂଗୀତ ।

***

 

ଅଳୀକ କାମନା

 

ଏହି ଟେଲିଗ୍ରାଫ ତାର ଗୁଡ଼ାକର

କି ଅସୀମ ଧୈର୍ଯ୍ୟ !

ଦିନ ପରେ ଦିନ

ଆଉ

ରାତି ପରେ ରାତି

ଖାଲି

ମଣିଷକୁ ମଣିଷର

ଖବର ଦେବାରେହିଁ ବ୍ୟସ୍ତ ।

 

ଆହା !

ମଣିଷର ହୃଦୟଗୁଡ଼ାକ ସବୁ

ଟେଲିଗ୍ରାଫ ତାର ହୁଅନ୍ତା କି ?

***

 

ପକ୍ଷୀ

 

ପକ୍ଷୀଟିଏ

ଖୁବ୍ ଦୂର ଦିଗନ୍ତଆଡ଼ୁ ଉଡ଼ିଆସି

ମୋର ଚାରିପାଖରେ ଘୂରିବାକୁ ଲାଗିଲା ।

ତାର ଗୋଟିଏ ଡେଣାରେ ଥିଲା

ତରଙ୍ଗିତ-ସମୁଦ୍ର

ଆଉ ଆର ଡେଣାରେ ଥିଲା

ନିଥର-ଆକାଶ ।

 

ଚଞ୍ଚୁରେ ତାର

ଗୋଟିଏ ଲାଲରଙ୍ଗର ଆପେଲ ଭଳି

ଝଲୁଥିଲା-ପୃଥିବୀ

ଏଇ ମାଟିର ପୃଥିବୀ ।

 

ସେ ତାର ଆବସର୍ନ ଡେଣାଟିକୁ ହଲାଇ ହଲାଇ

ଆହତ କଣ୍ଠରେ ମୋତେ କହିଲା

ଟିକିଏ ସ୍ଥାନଦେଇ ପାରିବ ?

ହଁ-ହଁ ଟିକିଏ ସ୍ଥାନ,

ମାତ୍ର ଦୁଇପାଦ ।

ମୁଁ ଅବାକ୍ ଆଖିରେ ତା' ଆଡ଼କୁ ଅନାଇ ରହି

ଭୟ ଆଉ ସଂକୋଚରେ

ମୋର ଥର ଥର ହାତର ପାପୁଲିଟି

ତା ଆଡ଼କୁ ବଢ଼ାଇ ଦେଲି

 

ବର୍ତ୍ତମାନ

ପକ୍ଷୀଟି ମୋର ପାପୁଲିର ଚଟାଣ ଉପରେ

ନିଶ୍ଚିନ୍ତରେ ବିଶ୍ରାମ ନେଇଛି ।

***

 

ହଜିଲା ଅକ୍ଷର

 

ବହୁଦିନ ତଳେ

କେତୋଟି ଅକ୍ଷର ମୁହିଁ ସମୁଦ୍ର ବାଲିରେ

ଲେଖି ଆସିଥିଲି,

(ଯେ ଅକ୍ଷର-ହୁଏତ ତରଙ୍ଗର ହାତ ବାଜି

ମୋ ଫେରିବାର କେତେଘଣ୍ଟା ପରେ

ଲିଭି ଯାଇଥିବ ।)

 

ମାତ୍ର ଆଜି ଏହି ନିଃସଙ୍ଗ ରାତ୍ରିରେ

ବହୁଦିନ ପରେ

ଅତୀତକୁ ପିଠିକରି;ସମୁଦ୍ରକୁ ସମ୍ମୁଖରେ ରଖି

ଯେତେବେଳେ ବସିଥିଲି

ବାଲିର ପଣତ ଉପରେ

ସେତେବେଳେ

ଝାଉଁର ମର୍ମର ଭିତରେ

ପରିଚିତ ସ୍ୱରଭଳି କେତୋଟି ଶବ୍ଦ ଆସି

ମୋର କାନରେ ବାଜିଲା;

 

 

 

ଆଉ ଚୂନା ଚୂନା ସାମୁକା ଭଳି

ଜହ୍ନର ଅଜଶ୍ରଧାରା ଝରିଗଲାବେଳେ

ମୁଁ ଦେଖିଲି

ବହୁଦୂର ସମୁଦ୍ର ଜଳରେ- ମତ୍ସକନ୍ୟା ଭଳି

ନାଚି ନାଚି ଖେଳିବୁଲୁଛନ୍ତି

ସେହି ଅକ୍ଷରଗୁଡ଼ିକ;

ସେହି ଅବଲୁପ୍ତ ଅତୀତର

ହଜିଗଲା ଅକ୍ଷର ଗୁଡ଼ିକ ।

***

 

ବହୁ ବିଚିତ୍ର

 

ପୃଥିବୀର ସବୁ ପ୍ରେମିକାଙ୍କର ଆଖିରେ

ମୁଁ ଦେଖିଛି

ଗୋଟିଏ ବୋଲି ରଙ୍ଗ-ମାତ୍ର ଗୋଟିଏ ।

 

ପୃଥିବୀର ସବୁ ପ୍ରେମିକାଙ୍କର କଣ୍ଠରେ

ମୁଁ ଶୁଣିଛି

ଗୋଟିଏ ବୋଲି ସଂଗୀତ-ମାତ୍ର ଗୋଟିଏ ।

 

କିନ୍ତୁ ଆଜି

ପୃଥିବୀର ସବୁରଙ୍ଗକୁ

ମୁଁ ଦେଖିବାକୁ ଚାହେଁ

ଗୋଟିଏ ପ୍ରେମିକାର ଆଖିରେ ।

 

ପୃଥିବୀର ସକାଳ ସଂଗୀତ

ମୁଁ ଶୁଣିବାକୁ ଚାହେଁ

ଗୋଟିଏ ପ୍ରେମିକାର କଣ୍ଠରେ ।

 

ତେଣୁ

ହେ ମୋର ପ୍ରିୟତମା !

ପ୍ରଜାପତିର ଉଡ଼ନ୍ତା ଡେଣା ଭଳି

ତୁମର ଥର ଥର ଆଖି ଦୁଇଟିରେ

କଣ କରିପାରିବ

ସେହି ବହୁ ବିଚିତ୍ର ରଙ୍ଗର ସମାବେଶ ?

 

ତୁମର ମର୍ମରିତ କଣ୍ଠରେ

କଣ ତୋଳି ପାରିବ

ପୃଥିବୀର ସକାଳ ସଙ୍ଗୀତର ସଂଳାପ ??

***

 

ସହର ଛକର ଶିଶୁ

 

ସହରର ଏକ ଜନଗହଳି ଛକରେ

ଅସମ୍ଭବ ମଣିଷର ଭିଡ଼ ।

ଛକଟପି ଯେ ଯାହା ରାସ୍ତାରେ ଚାଲିଗଲେ ।

 

ବାଟଭୁଲା ଛୋଟ ପିଲାଟିଏ କେବଳ

ସେହି ଛକ ମଝିରେ ଆଖି ମଳି ମଳି

ଅତି ଅସହାୟ ଭାବରେ ଛିଡ଼ାହୋଇ ରହିଲା ।

 

ତରତରରେ ଛକ ପାରି ହେଉଁ ହେଉଁ

କେହି ଜଣେ ପ୍ରଶ୍ନ କଲେ

"କିରେ ପିଲା ! ଯିବୁତୁ କୁଆଡ଼େ ?"

 

କିଛି ଉତ୍ତର ନ ଦେଇ

ଛଳ ଛଳ ଆଖିରେ

ପିଲାଟି କେବଳ

ଆକାଶଆଡ଼କୁ ଅନାଇ ରହିଲା ।

***

 

ଏକ ନୂତନ ପୃଥିବୀର ଜନ୍ମ

 

ପୃଥିବୀରୁ ସବୁ ସ୍ୱପ୍ନ ସରିଗଲା ପରେ

ଆହେ ମୋର ସ୍ଵପ୍ନାବତୀ !

ମୋ ଦୃଷ୍ଟିର ଅତଳାନ୍ତ ସମୁଦ୍ର ଭିତରେ

ତୁମେ ବଞ୍ଚିରହ ।

 

ପୃଥିବୀରୁ ସବୁ ତୃଷ୍ଣା ମରିଗଲା ପରେ

ଆହେ ମୋର ତୃଷ୍ଣାମୟୀ !

ମୋ ବକ୍ଷରୁ ନିର୍ଝରିତ ପ୍ରତି ନିଶ୍ୱାସରେ

ତୁମେ ଜିଇରହ ।

 

ପୃଥିବୀରୁ ସବୁପ୍ରେମ ଝରିଗଲାପରେ

ଆହେ ମୋର ପ୍ରେମଲତା !

ମୋ ରକ୍ତରେ ସଂଗୋପିତ ନିଭୃତ କକ୍ଷରେ

ତମେ ଶୋଇରହ-ଚିରକାଳ ପାଇଁ ।

 

 

 

 

 

 

ଆଉ-

ମୁଁ ଏକ ନୂତନ ପୃଥିବୀ ହୋଇ ଘୂରିବୁଲେ

ଅନ୍ତରକ୍ଷେ-ନିଜ କକ୍ଷେ

ଯୁଗାବ୍ଧିର କୂଳେ ।

***

 

ଦିଗନ୍ତର ପକ୍ଷୀ

 

ତମର କେଶ- ଗୋଟିଏ ଆକାଶ;

ତମର ଆଖି-ଦୁଇଟି ନୀଳ ସମୁଦ୍ର;

ତମର ଅଧର ଗୋଟିଏ ଦିଗନ୍ତ;

ଆଉ ତମେ-

ଦିଗନ୍ତରୁ ନୀଳ ସମୁଦ୍ର ଉପର ଦେଇ

ଆକାଶଆଡ଼କୁ ଉଡ଼ି ଯାଉଥିବା

ଗୋଟିଏ ବିଚିତ୍ର ବର୍ଣ୍ଣା-ବିହଙ୍ଗୀ ।

 

ଯାହାକୁ-

ମୁଁ ଧରି; ଧରିପାରି ନାହିଁ,

ଧରିବାକୁ ଯାଇ

ସେହି ଅଧରର ଦିଗନ୍ତରେ

ହଜିଯାଇଛି,

ସେହି ଆଖିର ସମୁଦ୍ରରେ

ବୁଡ଼ିଯାଇଛି;

ଓ ସେହି କେଶର ଆକାଶରେ

ନିଜେ ବି ନିଜର ସତ୍ତା

ଖୋଜିପାଇ ନାହିଁ ।

 

ପ୍ରତିଦାନ

 

ଠୋପାଏ ଅଶ୍ରୁ ଦେଇ

ମୁଁ ପାରିଛି

ଗୋଟାଏ ‘ଲଳିତ ଲବଙ୍ଗ ଲତା’ର ଚାହାଣୀ ।

 

ଟୋପାଏ ରକ୍ତଦେଇ

ମୁଁ ପାରିଛି

ଗୋଟିର ଆରକ୍ତ-କରବୀର ହସ ।

 

ଗୋଟାଏ ହୃଦୟ ଦେବି

ମୋତେ କଣ ଦେଇପାରିବ

ଆଶ୍ୱିନର ତାରକାଭରା ମୁଠାଏ ଆକାଶ ?

***

 

ପ୍ରେମ

 

ମୃତ୍ୟୁର ରହସ୍ୟମୟ ନୀଳକାଚରେ ତିଆରି

ଜୀବନର ଝଲମଲ ପିଆଲାରେ

ଠୋପାଏ "ଅମୃତ" ।

 

ଯାହାକୁ ରଙ୍ଗିନସୁରା ଭାବି ପିଉଁ ପିଉଁ

ବୟସର ବୁଲ୍‍ବୁଲ୍ ଉଡ଼ିଗଲା;

 

ଅଥଚ ତାହା ସଂପୂର୍ଣ୍ଣ ନିଃଶେଷ ହେବାଆଗରୁ

ହଠାତ୍ ଦିନେ

ସମୟର ହାତୁଡ଼ିରେ ଭାଙ୍ଗିଗଲା

ଏଇ ପିଆଲା

ଏଇ ଝଲମଲ ନୀଳକାଚର ପିଆଲା ।

***

 

ସ୍ମୃତି ଓ ସ୍ୱପ୍ନ

 

ଗୋଟିଏ ହାତରେ ମୁଠାଏ ସ୍ୱପ୍ନ

ଆର ହାତରେ ମୁଠାଏ ସ୍ମୃତି ନେଇ

ମୁଁ ତାକୁ ପ୍ରଶ୍ନ କଲି

ତୁମେ କଣ ଚାହଁ

ମୁଠାଏ ସ୍ୱପ୍ନ, ନା ମୁଠାଏ ସ୍ମୃତି ?

 

ମୀନାକରା ମୁଦିଭଳି

ତାର ଛୋଟ ଆଖିଦୁଇଟିକୁ ନଚାଇ ନଚାଇ

ଅତି ଆଗ୍ରହରେ ସେ ଛଡ଼ାଇନେଲା

ମୋ ହାତରୁ ମୁଠାକଯାକ 'ସ୍ୱପ୍ନ'

 

ସ୍ୱପ୍ନତକ ନେଇ

ସେ ଆଜି ଫୁଲହୋଇ ଫୁଟିଛି

ଆଉ ପ୍ରଜାପତି ହୋଇ ଉଡ଼ୁଛି ।

 

କିନ୍ତୁ ହାୟ !

ସ୍ମୃତି ଯାକ ଧରି

ମୁଁ ଯେ ଅତଳ ଅନ୍ଧକାର ଭିତରେ

କ୍ରମେ ଖସି ଖସି ଯାଉଛି

ମାଟିରୁ ପାତାଳଆଡ଼କୁ……. !

***

 

ଦୁଇ

ପରମା

 

ପଚାରିଲା ।

ପଚାରିଲା-ତାରା ଗଣା ସରିଗଲା ?

କହିଲି ମୁଁ ।

କହିଲି ମୁଁ-ସରିଗଲା ତାରାଗଣା ।

ନୂଆକରି ସରିବ ବା କ'ଣ ?

ବରାବର ଦେଖୁଛି ମୁଁ, ଗଣିଛି ମୁଁ ଆକାଶର ସମସ୍ତ ତାରାଙ୍କୁ ।

 

ସାମାନ୍ୟ ଆଶ୍ଚର୍ଯ୍ୟ ହେଲା ପରମା ଏଥର ।

ପଚାରିଲା ପୁଉଣି ସେ : କେତେ ହେଲେ ସବୁ ମିଶି ?

କହିଲି ମୁଁ ଅନର୍ଗଳ : ସବୁ ମିଶି ଯେତେହେଲେ,

ବରାବର ଗୋଟିଏ ତ କମ୍ !

 

ତାଆ ବି କିପରି ?

ସେ ପ୍ରଥମା ନୁହେଁ, ମଧ୍ୟମା ନୁହେଁ, ଚରମା ବି ନୁହେଁ-

ପରମା । ସେ ତୁମେ ।

ଆକାଶଟା ମୋ ହାତ ପାଖରେ ।

 

ତୃଷ୍ଣାର ଅନେକ ତଳୁ

 

ମଣିଷର ଦୁଃଖ-ଶୋକ-ବେଦନାରେ ମୁଁ ହୋଇଛି ବିଚଳିତ,

ମଣିଷର ଗର୍ବ-ଆଭିଜାତ୍ୟ-ଅହଂକାରେ ମୁଁ ହୋଇଛି କ୍ଷୁବ୍ଧ,

ମଣିଷର ସ୍ନେହ-ଶ୍ରଦ୍ଧା-ପ୍ରୀତି ପାଇ ପାଇ ମୁଁ ହୋଇଛି ଧନ୍ୟ ।

 

ଉତ୍ତରର ଝରକାଟା ଆଜି ଖୋଲା; ଦକ୍ଷିଣକୁ ପ୍ରବେଶ ନିଷେଧ ।

ସଂଧ୍ୟାର ଆରତି ଘଣ୍ଟା ମୋ ରକ୍ତରେ ବର୍ତ୍ତମାନଠାରୁ ମୁଖରିତ

ଆକାଶର ତଳେ ଚାଲି ଚାଲି ଯାହା ଏତେଦିନ ଖୋଜୁଥିଲି

ତାକୁ ଛାଡ଼ି ସବୁ ମୁଁ ପାଇଛି ।

 

ନାରୀ ଆଗେ ! କିଏ ଅଛ, ଦେଇ କି ପାରିବ ?

ଗୋଟାଏ ହୃଦୟ

କିଛି ନିସ୍ତବ୍ଧତା ।

***

 

ମୃତ୍ୟୁ ପୂର୍ବରୁ ଏକ ଅନୁରୋଧ

 

ମୋ'ର ମୃତ୍ୟୁ ପରେ,

ମୋ'ର କବର ପାଖକୁ କିଛି ଫୁଲ ନେଇ ଆସିବନି ?

 

ଖାଲି ହାତରେ ଆସ ପଛେ, ଥରେ ମାତ୍ର ଆସ

ଏବଂ ଆସି ଖାଲି ହସିଦିଅ ଟିକିଏ ।

ସେତିକି ଯଥେଷ୍ଟ;

 

ତମେ ହସିଲେ,

ତମର ସେ ବିଶ୍ଵବିଶ୍ରୁତ ମୁଖଶ୍ରୀରୁ

ଖାଲି ଫୁଲ ଝଡ଼ିପଡ଼େ, ଫୁଲ ।

 

ମୋର ମାଣିକ୍ୟର ଦରକାର ନାହିଁ

ଦରକାର ନାହିଁ ଅଶ୍ରୁର ପ୍ରଣାମୀ ।

***

 

ଏକ ପରିଚୟ

 

ଗୋଟାଏ ଅଣୁ ଭାଙ୍ଗି

ତା' ଭିତରେ ଦେଖିନେଲି ମହାବିଶ୍ୱ !

ମହାବିଶ୍ୱର ପରିଧିରୁ ଥାଇ ଯାହା ଦେଖିଲି,

କେନ୍ଦ୍ରରେ ଅବସ୍ଥିତ ଜଣେ ମାତ୍ର; ସେ-

ମୁଁ-

 

ସିଏ ମୁଁ ।

ଯିଏ ମୃତ୍ୟୁକୁ କରୁଛି କରୁଣା

ଦୁଃଖ-ଶୋକ-ଅଶ୍ରୁକୁ ଆଦର ।

 

ଏବଂ ଭଗବାନଙ୍କୁ ଦେଉଛି ଧନ୍ୟବାଦ:

ଯିଏ ତମପରି ନିବିଡ଼ ଏ ରାତ୍ରିକୁ, କରୁଛି ସ୍ୱାଗତ ।

 

ଆଉ ଶେଷରେ,

ତୁମକୁ କରିଛି କ୍ରମାଗତ ନିଃଶେଷ ଓ ସୃଷ୍ଟି ।

***

 

ପ୍ରତିଶ୍ରୁତି

 

ମୋତେ ଦିଅ ଗୋଟିଏ ହୃଦୟ

ମୁଁ ତୁମଠି ଭରିଦେବି ସୁଧା କିଛି ଅଜସ୍ର ସ୍ରୋତରେ ।

 

ମୋତେ ଦିଅ ଗୋଟିଏ ଚୁମ୍ବନ

ମୁଁ ତାକୁ ଫେରାଇଦେବି ଚକ୍ରବୃଦ୍ଧି ସୁଧର ହାରରେ ।

 

ମୋତେ ଦିଅ ସୁଯୋଗ ଏଠାରେ

ବଞ୍ଚିବାକୁ ନିଜପରି; ଦିଅ ମୋ'ର ପୃଥକ୍ ପୃଥିବୀ

ମୁଁ ଦେବୀ ଅନେକ ଆକାଶ, ଏବଂ ଏକ ପୃଥକ ସ୍ୱର୍ଗ ।

***

 

ତୁମେ

 

ତୁମଠି କିଛି ଖୋଜିବାକୁ ଗଲାବେଳକୁ

ତୁମେ ଏକ ଦର୍ପଣ ।

 

କେବଳ ନିଜର ପ୍ରତିବିମ୍ବହିଁ ଦେଖାଅ,

ବାରମ୍ବାର,

ମୋତେ ନୁହେଁ, ସମ୍ଭବତଃ ସମସ୍ତଙ୍କୁ ।

 

ତୁମଠି କିଛି ଖୋଜିବାକୁ ଗଲାବେଳକୁ,

ତୁମେ ଖାଲି ଏକ ଦର୍ପଣ ।

***

 

ସମୁଦ୍ର ଦେଖିବା ପରେ

 

ସମୁଦ୍ର ବାଲିରେ କାଲି ଫୁଲଟିଏ ଜନ୍ମଦେଲା ଫୁଲଟିଏ;

ସମୁଦ୍ର ବାଲିରେ କାଲି ଫୁଲରେ ଖୋଦେଇ ହେଲା ନାମଟିଏ;

ସମୁଦ୍ର ବାଲିରେ (ଆହା) ମୃତ ଏକ ପ୍ରଜାପତିଟିଏ;

ସମୁଦ୍ର ବାଲିରେ କାଲି ହୃଦୟର ସତ୍ତା ନାହିଁ,

 

ଖାଲି ଯାହା ବାଲିର ହୃଦୟଟିଏ ।

ଏ ସବୁକୁ ପକେଟରେ ରଖି ସମୁଦ୍ର ଓ ବାଲି ଛାଡ଼ି

ମୁ ଆସିଲି କିଛି ଦୂର; ମାତ୍ର କେତେ ସେକେଣ୍ଡର ପରେ

ମୁଁ ଦେଖିଲି କି ଆଶ୍ଚର୍ଯ୍ୟ ! ବାଲି ଅଛି, ସମୁଦ୍ରଟା ନାହିଁ

ମୁଁ ଦେଖିଲି ମୃତ ସେଇ ପ୍ରଜାପତିଟିକୁ

ବଂଚିଛି ଓ ଶୋଇବାର ଛଳନା କରୁଛି ।

 

ନାଁ ଟାର ଠିକଣା ପାଇଛି । ହୃଦୟର ସତ୍ତା କିନ୍ତୁ ନାହିଁ ।

***

 

କବି ଓ କବିତା

 

ଗୋଟାଏ ପରେ ଗୋଟାଏ ପୃଥିବୀ ଧ୍ୱଂସ କଲି,

କ୍ରମାଗତ

ରଚିବାକୁ ସ୍ୱର୍ଗ ନହେଲେ ବି ଆପାତତଃ

ଅନ୍ୟ ଏକ ସ୍ୱର୍ଗୀୟ ପୃଥିବୀ ।।

 

ଏକ ପୃଥକ ସ୍ୱର୍ଗ । ଏକ ପୃଥକ ପୃଥିବୀ ।।

***

 

ତମ ପ୍ରତି

 

ମୋ ଚକ୍ଷୁରେ,

ମୋ ଚକ୍ଷୁର କ୍ୟାମେରା ପ୍ଲେଟ୍‍ରେ

ଦେଖ !

ତମର ସୌନ୍ଦର୍ଯ୍ୟ ଅବିକଳ ବନ୍ଦୀ ହୋଇ

ସେଇଠି ଶୋଇଛି ।

 

ହେ ମୋ'ର ମନୋହୀନା ତମେ !

ସମ୍ଭବତଃ ତମେ ହେବ ବନ୍ଦୀ ଏଠି

ଆଜିଠାରୁ ବହୁଯୁଗ ପାଇଁ

ଏତେଦିନ ଯେଉଁପରି ଥିଲ ।

***

 

ମୃତ୍ୟୁ

 

ମୃତ୍ୟୁ

ମୁଁ ତୁମକୁ କରୁଣା କରୁଛି ଆଜି ।

 

କିନ୍ତୁ ଆଃ ! ମୋ'ର ଯଦି ଆଉ ଗୋଟିଏ ମାତ୍ର ଜୀବନ ଦେଇ

ମୁଁ କ'ଣ ତୁମକୁ ଦିଅନ୍ତି ଫେରାଇ ଜଣେ କୃପଣର ପରି ?

 

ମୃତ୍ୟୁ !

ମୁଁ ତୁମକୁ କରୁଣା କରୁଛି ଆଜି ।

***

 

ଦୁଇଟି ଅନୁରୋଧ

 

(୧) ତୁମକୁ-

 

ଦୁଇଟି ଦର୍ପଣ ସାମନ୍ତର ହେଲେ

ଯଦି ସୃଷ୍ଟି ହୁଏ ଅସଂଖ୍ୟ ବିମ୍ବର,

ସୁନୟନା !

ମୋ' ଚକ୍ଷୁର ଦର୍ପଣରେ

ଦେଖିନିଅ ତମ ମୁହଁ

ଥରଟିଏ ପାଇଁ ।

 

(୨) ଭଗବାନଙ୍କୁ-

 

ଈଶ୍ୱର !

(ଉଦାସୀନ ପଡ଼ୋଶୀ ପରି ତୁମେ ଯିଏ ମୋର ପରିଚିତ)

ଯଦି ପାର

ମୋତେ ଆଜି ଜ୍ଞାନ ଦିଅ, ଭକ୍ତି ଶିଖାଅ

କାନ୍ଦିବାକୁ ସମୟ ଓ ସୁଯୋଗ ବି ଦିଅ

ଆଉ ଶିଖାଅ ଫୁଟାଇବାକୁ ହସର ପାଖୁଡ଼ା

ଅନ୍ୟଠାରେ, କ୍ରମାଗତ ।

 

ପୃଥିବୀ ପ୍ରତି

 

ମୋ'ର ପ୍ରେମିକା ପରି

ଦୃଷ୍ଟିର ପରିଧି ଭିତରେ ରଖେ ତା'କୁ;

 

କାରଣ ସେ ଏବେ ସୁଦ୍ଧା

ଅନିର୍ଣ୍ଣିତା, ତା'ରି ପରି, ଅନିଶ୍ଚିତା ।

***

 

ଶେଷ ନିଷ୍ପତ୍ତି

 

କାରଣ ମୁଁ ଏଠାକୁ ଆସିଛି ଥରଟିଏ ପାଇଁ

ସେଥିପାଇଁ,

ଅନ୍ଧାରକୁ ଚିରି-

ଯଦି କିଛି କରିପାରେ ସୃଷ୍ଟି, ଆଲୋକ ରେଖାର ।

 

ସେଥିପାଇଁ,

ପ୍ରାଣଭରି-

କରୁଣାର ବାରିକଣାରେ

ଯଦି କରିପାରେ ସିକ୍ତ ହୃଦୟ କାହାର ।

ଆଉ ଅପେକ୍ଷା କରି ଲାଭ ନାହିଁ

କାରଣ ମୁଁ ଏଠାକୁ ଆସିଛି ଥରଟିଏ ପାଇଁ ।

***

 

ଈଶ୍ୱରଙ୍କ ପାଇଁ ଚୂର୍ଣ୍ଣ ପଦାବଳୀ

 

ପରିଚୟ

 

ହେ ଈଶ୍ୱର !

 

ଯାହା ଯାହାଠୁଁ ମୁଁ ପାଇଆସିଛି ଆଘାତ

ସେମାନଙ୍କୁ ସବୁ ମୁଁ କ୍ଷମା ଦେବାକୁ ଶିଖିଛି ।

 

[ମୁଁ ମଣିଷ ହୋଇ ଆଉ ବେଶି କ'ଣ କରିପାରନ୍ତି ?]

 

ଏକ ନିରାଶ ଆଶା

ତାମସୀ ଆଲୋକ

ମର୍ମନ୍ତୁଦ ଆନନ୍ଦ

ଓ କଦର୍ଯ୍ୟ-ସୁନ୍ଦର ସବୁ ଭିତରେ

ମୁଁ କେବଳ-ମୁଁ ।

 

ତମେ ଓ ଶଇତାନ୍ ଭିତରେ ଏକ ତୃତୀୟ ବିସ୍ମୟ

ଏକ ପୃଥକ ସୃଷ୍ଟି !

[ମୁଁ ମଣିଷ ହୋଇ ଆଉ ବେଶି କ'ଣ କରିପାରନ୍ତି ?]

 

ପ୍ରଶ୍ନ-

 

ଏ ରାତ୍ରି :

(ବର୍ତ୍ତମାନ ସମସ୍ତେ ନିଦ୍ରାମଗ୍ନ । କିଛି ରୋଗୀ, ସୁରାପାୟୀ,

ପଣ୍ୟାଙ୍ଗନା, ପାଗଳ ଓ ଲେଖକଙ୍କୁ ଛାଡ଼ି)

ବୃତ୍ତର କେନ୍ଦ୍ରପରି ଏ ରାତ୍ରି

(କାଲି ସକାଳୁ ଅପରେଶନ ପାଇଁ ଉଦ୍ଦିଷ୍ଟ କିଛି ରୋଗୀଙ୍କର) :

ଭୟାନକ ଏକ ଅଜଗର ପରି ଏ ରାତ୍ରି

(ଯାହା, ମାତାଲ୍, ପଣ୍ୟାଙ୍ଗନା, ପକେଟମାରୁ ଓ ଖୁନୀର);

ଆଉ ନିରବ-ନିବିଡ଼ ଏ ରାତ୍ରି (କିଛି ଶିଳ୍ପୀ ଓ ସାହିତ୍ୟିକଙ୍କର ବି)

ଅପୂର୍ବ !

ସୁତରାଂ ଏପରି ଏକ ଅପୂର୍ବ ରାତ୍ରିରେ

ହେ ଈଶ୍ୱର !

 

ଆଳାପ-

 

ତୁମେ ଯେଉଁଠି ଥାଅନା କାହିଁକି

ପଚାରେ;

ତମେ କ୍ରନ୍ଦନ ଭଲପାଅ ନା କୀର୍ତ୍ତନ ?

 

ଈଶ୍ୱର ! ତୁମ ମୋ ଭିତରେ ଆଜି

ପକ୍କା ହେଉ କଥାଭାଷା

ଛାଡ଼ିଯାଉ ହିସାବ ନିକାଶ ସବୁ ।

ସର୍ବଶକ୍ତିମାନ ଏକ ସତ୍ତା ତମର ଥାଉ ବା ନ ଥାଉ ତମର

ସେଇ ଷୋଳ କଳାରୁ

ମାତ୍ର ଗୋଟିଏ କଳାରେ

ମୋତେ ଯଶସ୍ୱୀ କର ।

ବଦଳରେ :

ମୁ ଦେବି ଏକ ପୁଷ୍ପ

ଯାହା ପାରିଜାତଠୁଁ ଅନେକ ସୁନ୍ଦର,

ଅନେକ କମନୀୟ ।

 

ପ୍ରାର୍ଥନା-

 

ମୋର ଖାଲି ଗୋଟିଏ ପାର୍ଥନା :

ନିଶ୍ଚିହ୍ନ ହୁଏ ମୁଁ ଏ ଗ୍ରହରୁ-ଅଜଣା, ଅଶୁଣା

ତା'ପରେ ନ ଆସୁ; ନ ଆସୁ କିନ୍ତୁ

ଅଶ୍ରୁର ପ୍ରାଣମୀ କିମ୍ବା 'ଆହା'-ର ସଲାମୀ

ମୋ'ର ମୃତ୍ୟୁ ପରେ

ମୋ'ର କବର ଉପରେ ।

 

ସମସ୍ତ ସମ୍ପର୍କ ମୋର ଶେଷହେଉ ନିୟତିର ସାଥେ ।

କିନ୍ତୁ ତା' ପୂର୍ବରୁ :

ଅନ୍ୟକୁ ଦେଇଯାଏ କିଛିଟା ସାନ୍ତ୍ୱନା, କିଛିଟା ସଂଳାପ-

ଆଉ ତୁମଠୁ ବି ମହାନ ହେବାକୁ ଚେଷ୍ଟା କରିସାରେ ।

 

କିନ୍ତୁ ତା' ପୂର୍ବରୁ :

ଦେଇଯାଏ ଘନିଷ୍ଠ ଉତ୍ତାପ କିଛି, ବାଞ୍ଚିତାର ବିଷାକ୍ତ ଓଠରେ

ଏବଂ ନିଜେ ଥରେ ସଇତାନ ସହ କରିସାରେ ବିବିକ୍ତ-ଆଳାପ ।

 

ଶେଷ ଅନୁରୋଧ-

 

ମୋତେ ଥରେ ମାତ୍ର ଦୋଷୀ କରାଅ, ଥରେ ମାତ୍ର :

ନିର୍ବୋଧତା ଦୋଷରେ ।

 

ମୋତେ ଥରେ ମାତ୍ର ଭସାଇଦିଅ, ଥରେ ମାତ୍ର :

ଚଳମାନ ପାପର ସ୍ରୋତରେ ।

 

ମୋତେ ଥରେ ମାତ୍ର ସୁଯୋଗ ଦିଅ, ଠକିବାକୁ

ପ୍ରେୟସିର ଘନିଷ୍ଠ ବନ୍ଧନୁ ।

 

ତା' ପରେ

ମୁହୂର୍ତ୍ତକୁ ଗ୍ରେପ୍ତାର କରି ମୁଁ ପହଞ୍ଚିବି ସୀମାହୀନତାରେ ।

***

 

ଶିଳ୍ପୀର ପ୍ରାର୍ଥନା

 

ମୋତେ ଦିଅ ଟୋପାଏ ଅଶ୍ରୁ,

ମୁଁ ତୁମକୁ ଦେବି ଗୋଟିଏ ତାରା !

 

ମୋତେ ଦିଅ ବିନ୍ଦୁଏ ରକ୍ତ,

ମୁଁ ତୁମକୁ ଦେବି ଗୋଟିଏ ଫୁଲ !

 

ମୋତେ ଦିଅ ମୁଠାଏ ସମୟ,

ମୁଁ ତୁମକୁ ଦେବି କିଛି ଅମୃତ !

***

 

ପରିଚୟ

 

ମୋର ଚକ୍ଷୁ ଦୁଇଟି ହତ୍ୟାକରି

ମୁଁ ଆଣିଛି ଆଲୋକ ।

 

ମୋର ହୃଦୟ କ୍ରୁଶବିଦ୍ଧ କରି

ମୁଁ ଆଣିଛି ଆନନ୍ଦ ।

 

ମୋତେ 'ମୁଁ' ରେ ମୂଲ୍ୟବାନ୍ କରି

ମୁଁ ହୋଇଛି ମଣିଷ ।

***

 

ଅନୁଭବ

 

କ୍ଷୁଧାର କି ଦୁଃସହ ଦୀର୍ଘଶ୍ୱାସରେ

ଫୁଲିଉଠିଚି ଏ ତତଲା ରୁଟି;

 

ତୃଷାର କି ମର୍ମଫଟା ଚିତ୍କାରରେ

ଝରିଯାଉଚି ଏ ଶୀତଳ ଝରଣା;

 

ହେ ଜୀବନ !

ମୃତ୍ୟୁର ନିରବ ମର୍ମର ତଳେ

ତୁମେ କେତେ ମଧୁର !

***

 

ପ୍ରତୀପ

 

ତୁମରି ଆଶାରେ ଥିବି

ହେ ମୋର ଦୀର୍ଘାୟୁ ଦୁଃଖ

ତୁମରି ବିଶ୍ୱାସେ ମୁହିଁ

ବଞ୍ଚି ରହିଥିବି ।

 

ଯେହେତୁ ସମୟ ଜାଣେ

ମୋ ଅଜଣା ଅନେକ କାରଣ,

ଯେହେତୁ ଏ ସୂର୍ଯ୍ୟ-ଚନ୍ଦ୍ର-ପୃଥିବୀ

ମୋ ଏକାକୀ ଗତିପଥ ଡେଇଁ

ନୀତି ଚାହେଁ ନୀତି ଖୋଜେ

ଜୀବନର ସ୍ନେହଜ ବିରତି ।

 

ତୁମରି କାରୁଣ୍ୟେ ଥିବି ମୁଁ ନିର୍ଜନ ସମୟ ସଙ୍ଗୀତ

ପ୍ରେମର ନିଷିଦ୍ଧଦ୍ୱାରେ ପ୍ରହରୀ ମୁଁ ପୁଣି ପ୍ରତୀକ୍ଷିତ ।

***

 

ତୁମେ ଓ ମୁଁ

 

ଜହ୍ନରେ ଥିଲା ଗୋଟିଏ ମରୁଭୂମି

ଏବେ ସେଠାରେ ଝରୁଚି ଏକ ଝରଣା ।

 

ସମୁଦ୍ରରେ ଥିଲା ଗୋଟିଏ ଅଗ୍ନେୟଗିରି

ଏବେ ସେଠାରେ ହସୁଚି ଏକ ଦ୍ୱୀପ ।

 

ହୃଦୟରେ ଥିଲା ଗୋଟିଏ ସଁବାଳୁଆ

ଏବେ ସେଠାରେ ଉଡ଼ୁଛି ଏକ ପ୍ରଜାପତି ।

ଏବେ ତୁମେ ମୁଁ ।

***

 

ମାନସାଙ୍କ

 

ନାଁ-ନାଁ-ନାଁ

ପତ୍ରଝଡ଼ା ଦେଖି ମୁଁ କହିପାରିବିନି ଗଛର ପରମାୟୁ,

ପରଟିଏ ଦେଖି ମୁଁ କଳି ପାରିବିନି ପକ୍ଷୀର ଗତିପଥ ।

ତାରାଟିଏ ଦେଖି ମୁଁ ଛୁଇଁ ପାରିବିନି ରାତ୍ରିର ଆତ୍ମା ।

ସୁନାଫରୁଆରେ ଭାସି ଆସୁଥିବା କୋରାଏ କେଶରୁ

ମୁଁ ଚିହ୍ନି ପାରିବିନି ତାକୁ

(ସେଇ ମୌନାବତୀ ରାଜକୁମାରୀକୁ)

ମୋତେ କ୍ଷମାଦିଅ ! !

***

 

ଅନୁରୋଧ

 

ତାରା ଦୁଇଟି ନିକଟତର ହେଲେ

ଯଦି ହୁଏ ବିସ୍ଫୋରଣ

 

ଆଉ ଜନ୍ମନିଏ-

ଏମିତି ଗୋଟାଏ କ୍ଷୁଧାତୃପ୍ତ ପୃଥିବୀ;

 

ଇରା !

ଏଇ 'ଟିକ୍ ଟିକ୍' ମୁଖରିତ

ଟେବୁଲ ଉପରୁ

ତୁମର ଚୁଡ଼ିଭରା ହାତଟିକୁ

ଦୂରେଇ ନିଅ ।

***

 

ବଞ୍ଚିତର ତୃଷ୍ଣା

 

ଦିଅ !

ହେ ନଗ୍ନ ବୈଦେହୀ !

ଫେନିଳ ସୌନ୍ଦର୍ଯ୍ୟର

ଆଉ କିଛି ଉଷ୍ମ ରକ୍ତରେ

ପୁର୍ଣ୍ଣକର ମୋର ପାତ୍ର ।

 

ଗୋଲାପ ଯଦି

ମୋର ନୀଳ ହାତରେ

ଆତ୍ମସମର୍ପଣ ନ କରେ,

ତେବେ ତାର ଯନ୍ତ୍ରିତ ନିର୍ଯାସରେ

ଶାନ୍ତକର ମୋର ପିପାସା ।

***

 

ମନ୍ଦୋଦରୀକୁ

 

ତୁମ ଆଖିରେ ମୃତ୍ୟୁଶୀଳ ଅଜସ୍ର ସମୟ ।

ତୁମ କପୋଳରେ ତପସ୍ୱିନୀ ସହସ୍ର ଗୋଲାପ ।

ତୁମ ଓଠର ତିଳ ଚିହ୍ନରେ କ୍ଵଚିତ୍ କଳଙ୍କିତ ଜହ୍ନ ।

ମୟୂରୀ ଗ୍ରୀବାର ଅରଣ୍ୟରେ

ଏକାନ୍ତ ଚିତାଙ୍ଗ ମୃଗ ।

ଉପତ୍ୟକାରେ ଦୂରନ୍ତ ଅଶ୍ୱର ପଦଧ୍ୱନି

 

ଆଶ୍ରୟ ଦିଅ !

ତୁମ ଆଖିରେ ମଜ୍ମମାନ ମୁଁ ।

***

 

ସମ୍ପର୍କ

 

ତୁମ ହାତମୁଠାର କ୍ରୁଶବିଦ୍ଧ ସମୟରେ

ମୁଁ ଅନୁଭବ କରିଛି ମୋର ହୃଦୟର ସ୍ପନ୍ଦନ ।

 

ତୁମ ମୁଦ୍ରିତ ଆଖିର ଶାମୁକାତଳେ

ମୁଁ ଦେଖିଚି ମୋର ନିର୍ବାସିତ ନିଦ୍ରାର ଅନ୍ଧାର ।

 

ତମର ନୈଶ ଶିରାର ରକ୍ତ-ପ୍ରପାତରେ

ମୁଁ ଶୁଣିଛି ମୋର ନିଃଶ୍ୱାସ-ମୁଖରିତ ମନ୍ତ୍ରଧ୍ୱନି" ।

“ମମ ବ୍ରତେତେ ହୃଦୟଂ ଦଧାମି” ।

***

 

ତିନୋଟି ନିଃଶ୍ୱାସ : ଗୋଟିଏ ରାତ୍ରି

 

ତୁମରି ପ୍ରଥମ ନିଃଶ୍ଵାସରେ

ସହସ୍ର ବସନ୍ତର ସ୍ପର୍ଶ,

ଅସଂଖ୍ୟ ପ୍ରଜାପତିର ଅରଣ୍ୟ,

ଝରଣାର ବେହେଲାରେ ଝଲକାଏ ସ୍ୱପ୍ନର ରାଗିଣୀ,

ମୁଁ ନିର୍ବାକ !!

 

ତୁମରି ଦ୍ଵିତୀୟ ନିଃଶ୍ଵାସରେ-

ବୈଶାଖର ନିର୍ମମ ପ୍ରଶ୍ନ,

ବିଦଗ୍ଧ ନୀଳିମାର ଆକୁଳତା,

ଅଶାନ୍ତ ପବନରେ ବିପର୍ଯ୍ୟସ୍ତ ଝଡ଼ର ମର୍ମର;

ସତ୍ତାର ସମୁଦ୍ର ମୋର ଜ୍ଵଳମାନ୍ !!

 

ତୁମରି ତୃତୀୟ ନିଃଶ୍ଵାସରେ-

କଦମ୍ବ ରେଣୁର ବର୍ଷା

ବିଛୁରିତ କେଶ-କସ୍ତୁରୀର ସୌରଭ,

ଅନ୍ଧାରର କୃଷ୍ଣଶିଳାରେ ଜହ୍ନର ସମର୍ପିତ ଯନ୍ତ୍ରଣା,

ମୁଁ ନିଃସଙ୍ଗ !!

***

 

ଅସଂଲଗ୍ନ

 

ଡାଏଲ୍‍ରେ ଯୋଡ଼ି ଯାଇଥିବା

କଣ୍ଟା ଦୁଇଟାକୁ ଲକ୍ଷକରି

ମୁଁ ତାକୁ କହିଲି;

"ଦେଖୁଚ ଏଇଥି ପାଇଁତ ଘଣ୍ଟାଏ ଦୌଡ଼,

ଜଣେ ଆଉ ଜଣକୁ ଛୁଇଁବ !"

 

ଝରକା ଆରପଟକୁ ଶୁଭୁଥିବା

କାହାର ଜୋତା ଶବ୍ଦକୁ ଇଙ୍ଗିତକରି

ସେ କହିଲା :

"ଛି-ହାତଟା ଛାଡ଼ନା-

ସେକେଣ୍ଡ କଣ୍ଟାଟା ଭାଆରି ଦୁଷ୍ଟ !!"

***

 

ପେଚା

 

ମୋର ଗୋଟିଏ ତାରା ସହିତ ନିବିଡ଼ ପରିଚୟ,

ତେଣୁ ମୁଁ ଆସେ ରାତ୍ରିର ନିର୍ଜନ ମୁହୂର୍ତ୍ତରେ ।

 

ମଣିଷର ଚିରନ୍ତନ ମୁକ୍ତି ମୋର କାମ୍ୟ

ତେଣୁ ମୁଁ ଗାଏ ମୃତ୍ୟୁର ମାଙ୍ଗଳିକ ।

 

ଧନରତ୍ନ ମୋ ନିକଟରେ ତୁଚ୍ଛ

ତେଣୁ ମୁଁ ବାହନ ମହାଲକ୍ଷ୍ମୀର ।

***

 

ରୂପାନ୍ତର

 

ଗୋଟିଏ ଦିଆସିଲି କାଠିରେ

ମୁଁ ଜାଳିଲି କିଛି ଅନ୍ଧାର ।

 

ଗୋଟିଏ ଗୋଲାପ ଫୁଲରେ

ମୁଁ ନଷ୍ଟକଲି କିଛି ଦୁର୍ଗନ୍ଧ ।

 

ଗୋଟିଏ କବିତାରେ

ମୁଁ ହତ୍ୟାକଲି କିଛି ମୌନତା ।

***

 

ଜନ୍ମ-ମୃତ୍ୟୁ-ଜୀବନ

 

ଜନ୍ମ :

ଗୋଟିଏ ମାଛର ନୀଳ ମମତାରେ

ଫୁଲିଉଠେ ଚେନାଏ ମେଘ ।

 

ମୃତ୍ୟୁ :

ଗୋଟିଏ ଚଳନ୍ତି ପରିଧିରୁ

ଠିକିରେ ପଡ଼େ ବିନ୍ଦୁଟିଏ :

'ଠ' ରଚନା ପାଇଁ ।

 

ଜୀବନ :

ଗୋଟିଏ ଶବର ହାତ ପାପୁଲିରେ

ସ୍ୱର୍ଗର ଚେନାଏ ଆଲୋକ

ହୁଏ ଅନୂଦିତ ।

***

 

ଶୃଙ୍ଗାର

 

ଶବ ହୁଅ, ସ୍ମୁତି ହୁଅ-ପ୍ରବଳର ଚନ୍ଦ୍ର ବନ୍ଧନୀରେ

ମୋରି କଠିନ ମୁକ୍ତା ବାନ୍ଧିରଖ:

ଭାଙ୍ଗିଆସେ ମୟୂର ତରଙ୍ଗ

ସମୟର ଶଙ୍ଖ ବାଲୁଚରେ,

ମୁଁ ଦମ୍ଭ ଶାମୁକାପରି

ଦୀର୍ଣ୍ଣକରି ମାଟିର ଅଧର

ମଗ୍ନ ହୁଏଁ ମୃତ୍ୟୁମୟ ଅରଣ୍ୟ ଅତଳେ ।

 

ସ୍ୱପ୍ନ ହୁଅ, ତୃଷା ହୁଅ-ପ୍ରବାଳର ଚନ୍ଦ୍ର ବନ୍ଧନୀରେ

କିରୀଟ କୁଣ୍ଡଳ ରଖ ଶତାୟୁ ସୂର୍ଯ୍ୟର,

 

ମାଟିକୁ ମୃଣାଳ କର,

ଇଛାରକ୍ତେ ଆତ୍ମାର ଓଁକାର

ବନ୍ଧୀକର ମନ୍ଦିରର ଦ୍ରତଦୀପ ପରି

ଏବଂ ମୋତେ ମୁକ୍ତିଦିଅ

ସମୁଦ୍ର ପଞ୍ଝାରେ ଏକ ନଷ୍ଟ ମୀନ ପରି ।

***